Unknown

 

 

 

 

 

 

 

 

 

 

କିଶୋର କବିତା

ଡ କୁଞ୍ଜବିହାରୀ ଦାଶ

 

ସୂଚୀପତ୍ର

 

୧.

ଗାଁ ଗହନର ସୀତା

୨.

ବନ୍ୟା

୩.

ବୁଦ୍ଧଙ୍କ ଆଶୀର୍ବାଦ

୪.

ଘରଣୀ

୫.

ସାରଳା ଦାସ

୬.

‘ପରଜା’ ପଲ୍ଲୀରେ ବର୍ଷା

୭.

କରିବୁ ଆମେ ଦିଗ୍‍ବିଜୟ

୮.

ଉତ୍କଳମଣି

୯.

ଚନ୍ଦ୍ରଚୋର ରାୟଗୁରୁ

୧୦.

ପଲ୍ଲୀ ସଞ୍ଜ

୧୧.

ଶିବାଜିଙ୍କ ଗର୍ବ

୧୨.

ଶ୍ରମିକର ଭଗବାନ

୧୩.

ମହାତ୍ମା ତିଳକ

୧୪.

ଲଙ୍କା ବିଜୟୀ

୧୫.

ସେନାପତି ବିଷ୍ଣୁ ଶର୍ମା

୧୬.

କଳିଆ ନାରଦ

୧୭.

ବିଦ୍ରୋହୀ ମଙ୍ଗଳ ସିଂହ

୧୮.

କାଞ୍ଚି ବିଜୟୀ

୧୯.

ବେଣ

୨୦.

ମାନସ ତୀର୍ଥ

୨୧.

କବିତା ଓ କଙ୍କାଳ

୨୨.

ପୀର୍‍ ଆଲୀ

୨୩.

ମାର୍ଗଶିର

୨୪.

ବୀର ଜନନୀ

***

 

ଗାଁ ଗହନର ସୀତା

 

ଚିନି ଚମ୍ପାଦିହ କଇଁଫୁଲ ପରି ମୁହଁ

ନାନୀ ଲୋ ତୋ କଥା ଭାବିଲେ ବୁହଇ ଲୁହ ।

 

ହାତେ ବଟଫଳ ପାଦରେ ବାଜେଣି ବଳା

ଗଳାରେ ପୋହଳା ଜୁଡ଼ାରେ ବଉଳ ମାଳା ।

 

ଛନ ଛନ ବେନି ଆଖିରେ କଜ୍ଜଳ ଟାଣି

ଥେଇ ଥେଇ ଡେଇଁ ବୁଲୁଥିଲୁ ଆଲୋ ନାନୀ ।

 

ଜାଙ୍ଗୁଲୁ ଜାଙ୍ଗୁଲୁ ରାତି, ନଗିଟିଏ ଧରି

ଧାଇଁ ଆସୁ କାଚ ଝୁମୁରୁ ଝୁମୁରୁ କରି ।

 

ରୋଇଥିଲୁ ହରଗଉରା ଚଉରା ମୂଳେ

ପୂଜୁଥିଲୁ ଗଢ଼ି ବାଲୁଙ୍କା ପୋଖରୀ କୂଳେ ।

 

କୁଟାଉଥିଲୁ ଯେ ଚିତା ରକ୍ତ ସ୍ନାନ ହୋଇ

ଗାଳି ଦେଉଥିଲି ଦେଖି ଏଇ ବଦ ଖୋଇ ।

 

 

 

ମଞ୍ଜୁଆତି ବାଟି ପଚାଉଥିଲୁ ତୁ ହାତ

ଅଲିଅଳ ହୋଇ ଘରେ କରୁଥିଲୁ ଯାତ ।

 

ହାତକେ କଉଡ଼ି ହାତକେ ଚିତଉ ପିଠା

ଅଣ୍ଟିରେ ଉଖୁଡ଼ା ଅଣ୍ଟାରେ ତାଆସ ମୁଠା ।

 

ଖେଳିବାକୁ ନାନୀ, ବେଳତ ଅଣ୍ଟଇ ନାହିଁ

ଭାତ ଶୁଖିଯାଏ ବୋଉ ଡାକ ମାରୁଥାଇ ।

 

ମାରିବାକୁ ସେତ ଛାଞ୍ଚୁଣି ଉଞ୍ଚେଇ ଥାଏ

ମୁଁହକୁ ଚାହିଁ ତା ମନ କ’ଣ ହୋଇଯାଏ ?

 

ସପନେ ସପନେ ମନ ଯାଉଥାଏ ଉଡ଼ି

ସାଇ ମାଇପେ କେ ମାଉସୀ, ବଉଳ, ଖୁଡ଼ୀ

 

କିଏ ସେ ମକର କିଏ ଅବା ଗଜା ମୁଗ

ଢଗଢ଼ମାଳିରେ ବୁଡ଼ି ଯାଉଥିଲା ଯୁଗ ।

 

କାନ୍ଥ କବାଟୀରେ ଲେଖୁଥିଲୁ କେତେ ଚିତା

ମୁରୁଜ ଚୂନାରେ ଆଙ୍କୁଥିଲୁ ରାମ ସୀତା ।

 

ସେରେନ୍ତାପଣେ ଲୋ ସବୁକଥା ତୋର ଭିନେ

ନଇଁପଡ଼ି ପରା ଗଉଣୀ ଧରିନୁ ଦିନେ ।

 

ବାଡ଼ି ବରଡାଳେ ବାନ୍ଧିଥିଲୁ ରଜ ଦୋଳି

ହୁଡ଼ାରୁ ହୁଡ଼ାକୁ ଯାଉଥିଲୁ ତୋଳି କୋଳି ।

 

ଖେଳୁଥିଲୁ ପୁଚି କୁଆଁର ପୁନେଇଁ ଜହ୍ନେ

ସବୁକଥା ନାନୀ ପଡ଼େ ଆଜି ମୋର ମନେ ।

 

ଝରି ଝରି ଲୁହ ମନରୁ ଗଲାଣି ଧୋଇ

ସେକାଳ ଖୁଦୁରୁକୁଣି ସେଇ ତଅପୋଇ ।

 

ମନେପଡ଼େ ଦିନେ ଧାର ଧାର ଲୁହ ଢାଳି

ବାହୁନି ବାହୁନି ଗଲୁ ତୁ ପହିଲି ପାଳି ।

 

ବଡ଼ଘର ଦେଖି ନନା ଦେଇଥିଲେ ବାହା

ତୋଳା କନିଆଁକୁ ତୁଳସୀ ପତର ଆହା !

 

ଗଜ ମୁରୁଖ ସେ ମୁଣ୍ଡରେ ଗୋଛାଏ ଚୁଟି

ରୋଗ ବଇରାଗେ ପାରୁତ ନ ଥିଲା ଉଠି

 

ପୁନିଅଁ ଜହ୍ନକୁ ମିଳିଗଲା କାଳ ରାହୁ,

ଝାଉଁଳି ଗଲୁ ତୁ କେତେଦିନେ ଚାହୁଁ ଚାହୁଁ ।

 

ଶାଶୁ ଅନିଭବ ନଣନ୍ଦ ଗଞ୍ଜଣା ସହି

ନାନୀ ଲୋ କଅଁଳ ମେରୁଦଣ୍ଡ ଗଲା ନଇଁ ।

 

ଚିନ୍ତା କରି କରି ହୋଇଗଲୁ ସୂତାଖିଅ

ସେବା ବ୍ରତ କରି ଭାଜିଗଲା ତୋର ଦିହ ।

 

ଯାହା ଯୋଗୁଁ ତୋର ଜୀବନର ସବୁ ଦୁଃଖ

ସୂର୍ଯ୍ୟମୁଖୀ ପରି ଚାହୁଁଥିଲୁ ତାର ମୁଖ ।

 

ଓଷା ବ୍ରତ ଫଳ କେଉଁ ଭଗବାନ ଦେଲା ?

ଦରିଆ ମଝିରେ ବୁଡ଼ିଗଲା ଦିନେ ଭେଳା !

 

ଅଚେତାରୁ ଏଣେ ହେଉଥିଲା ଛିଞ୍ଚା ବିଞ୍ଚା

ପୋଖରୀ ତୁଠରେ କାଚ ହେଉଥିଲା ଛେଚା ।

 

ଦିନେ ମୋତେ ଦୁଃଖେ ଏଇକଥା ଥିଲୁ କହି

‘‘ଲହୁଣୀରେ ବଢ଼ି ଲୁହ ଧାରେ ଗଲି ବହି ।’’

 

ନୂଆ ଯଉବନେ ଦୁଃଖ ସାଥେ ଲଢ଼ି ଲଢ଼ି

ପୋକକଟା କଢ଼ି ପରି ତୁ ପଡ଼ିଲୁ ଝଡ଼ି ।

 

ବିନା ଅପରାଧେ ତୋ ସଂସାର ହେଲା ପିତା

ତୁ ଏଇ ଯୁଗର ଗାଁ ଗହନର ସୀତା ।

***

 

ବନ୍ୟା

 

ଝିପି ଝିପି ଝିପି ମେଘ ବରଷଇ ଟାଇଁ ଟାଇଁ ଖରା ମାରେ

ଇନ୍ଦ୍ରଧନୁରେ ବିଜୁଳି ପତାକା ଖେଳଇ ବଉଦ ଦ୍ୱାରେ

ନୀଳକଇଁଭରା ପଲ୍ଲୀ ପୋଖରୀ କୂଳରେ ଭିଡ଼ିଲୁ ତରୀ

ଚପ ଚପ ଚପ କାଦୁଅ ପଙ୍କେ ପାଦ ଯାଉଥାଏ ଗଳି

ମାଟିର ସଙ୍ଗେ ମିଶି ଯାଇଅଛି ତଳେପଡ଼ି କେତେ ଘର

ପବନ ଧକ୍କା ଲୋଡ଼େ କିଏ ଏକ କିଏ ଅସରାଏ ଜଳ ।

କାହା କାନ୍ଥରୁ ଅତଡ଼ା ଛିଡ଼ଇ ଖମ୍ୱ କାହିଁ ବା ଠିଆ

ଭାସିଗଲା ଚାଳ ଭିଡ଼ି ଧରିଅଛି ଦୀର୍ଘ ଗୋହିରି କିଆ

ଅଣେଇ ରହିଛି କାହିଁ

କାନ୍ଥ ଗୋଟିଏ ଫୁଙ୍କିଦେଲେ କି ପଡ଼ିଯିବ ଅଛି ଚାହିଁ ।

 

ଉଭା ହୋଇଥିଲେ ଜାଗୁଳେଈ ଯହିଁ ସପନାଇ ଗାଆଁ ମାଳୀ

ଜନ୍ତାଳ ବଳି ମାଜଣାରେ ଯହିଁ ରୋଗ ଯାଉଥିଲା ଛାଡ଼ି

ଗ୍ରାମର କିଶୋର କିଶୋରୀଏ ଯହିଁ ଦୋଳି ଖେଳୁଥିଲେ ନିତି

ଓହଳେ ଓହଳି ଗାଈଜଗାଳିର କାଳ ଯାଉଥିଲା ବିତି

ପୁରାଣବୃଦ୍ଧ ଗୃଧ୍ର ଗୋଟିଏ ରଚିଥିଲା ଯହିଁ ନୀଡ଼

ସଞ୍ଜେ ସଞ୍ଜେ ହେଉଥିଲା ଯହିଁ ବିବିଧ ପକ୍ଷୀର ଭିଡ଼

ଉପୁଡ଼ିଚି ସେଇ ପଲ୍ଲୀ ଚୈତ୍ୟ ସିନ୍ଦୂର ବଲ ବଲ

ଅତି ଶୋକାକୁଳ କାକକୁଳ ଆଉ ନିରୀହ ବାଦରା ଦଳ

କେତେ ପୁରୁଷର ଦୁଃଖ ବେଦନା ସୁଖର ମଧୁର ଭାବ

ରଞ୍ଜିତ ଥିଲା ଏଇ ବଟ ମୂଳ ପ୍ରତି ଡାଳ ପ୍ରତି ଠାବ

ଐତିହାସିକ ବର

ଲେଖୁଥିଲା ଗ୍ରାମ ପ୍ରାନ୍ତେ ବସିକି ଇତିହାସ ସମାଜର ?

 

ଶୂନ୍ୟ ପଲ୍ଲୀ ଜୀବିତ ମାତର ନ ଦେଖଇ ଏଥି ଜଣେ

ମେରୁଦଣ୍ଡ ବା ସଢ଼ୁଅଛି କାହିଁ କାହିଁ ବା ମୁଣ୍ଡ ପଣେ ।

ବାଜେ କାହିଁ ପାଦେ ଗହିରା ପଙ୍କେ ମଣିଷ ହାତର ହାଡ଼

ଉଦାର ଦାନେ ଯେ ଭରିଥିବ କେତେ ଆର୍ତ୍ତ ଅଭାବ ଗାଡ଼ ।

ବିଶ୍ୱେ ପୋଷିବା ପାଇଁ କେତେ ବିଲେ ବୁଲିଥିବ ଏଇ ହାତ

କିଏ କହିପାରେ ଚାରୁ କାରୁକଳା ନୋହିଥିବ ଏଥୁଁ ଜାତ ?

ରୋଧି ନ ଥିବ କି ଏଇ ବୀର ହାତ ପ୍ରବଳ ଅତ୍ୟାଚାର ?

ପଲ୍ଲୀ ମୁଖର କରି କି ନ ଥିବ ଲେଖନୀର ସୁଧା ଧାର ?

ହୋଇଛୁ କୀଟର ବାସ

ଅଜ୍ଞାତ ହାତ ଫୁଟି ପଡ଼େ ଆଗେ ତୋ କରୁଣ ଇତିହାସ ।

 

କି ଶୁଣୁଛୁ କାନ କି ଶୁଣୁଛୁ ଆରେ ? ମଣିଷ ସ୍ୱର କି ଏଇ ?

ଊର୍ଦ୍ଧ୍ୱେ ଦେଖିଲି ଚମଲୁଚା କେତେ କଙ୍କାଳସାର ଦେହୀ

ନୁଖୁରା କହଁରା ଅଳିଆ ଗଦାରେ ପୋତା ମାରିଅଛି ଆଖି

ନ ହେବା ଲାଗି ସେ ସୁନା ପଲ୍ଲୀର ଧ୍ୱଂସ ଭୀଷଣ ସାକ୍ଷୀ

ଖାଲ ଖାଲ ଗାଲ ଦାଢ଼ିତଳେ ଘୋର ଜରା କରିଲାଣି ଘର

କଳା ଓଠ କହେ ଜୀବନ ଉପରେ ବହିଅଛି କେତେ ଝଡ଼

ଲହୁହୀନ ଶେତା ପାଉଁଶିଆ ମୁଖେ ହନୁ ହାଡ଼ ଉଠେ ବଢ଼ି

ପେଟର ଗର୍ଭେ ଚମ ନ ଦେଇ ବି ସେହିପରି ଅଛି ଗଢ଼ି ?

ଗଣି ହୋଇଯାଏ ପଞ୍ଜରା ଯହିଁ ଖଣି ପଡ଼ିଥିଲା ବଳ

ଭରୁଥିଲା ମେଘ ବକ୍ଷେ ଛନକା ଫିଟୁନାହିଁ ସେଇ ସ୍ୱର

ଧରାଧରି କରି ଓହ୍ଲାଇ ନେଲୁ କେତୋଟି ମଣିଷ ଛାଇ

ସାଷ୍ଟମ ହେଲେ ମରଣ ଯାତ୍ରୀ ଆମରି ଆହାର ପାଇ

କି ଭାବ ସେ ଆଖି ତଳେ

କେତେକ କରୁଣ କାବ୍ୟ ଝରିଲା ଦିଟୋପା ଅଶ୍ରୁ ଜଳେ !

 

ମେରୁ କଣ୍ଟାରେ ପେଟ ଲାଖି ଅଛି ଆସିଲେ ପଲ୍ଲିବାସୀ

ପ୍ରେତ ପଟୁଆର ଚିରା କନା ତଳେ ଚମ କଙ୍କାଳ ରାଶି

ଚୁଡ଼ା ବାଣ୍ଟିଲୁ ଜଣ ଜଣ କରି ଦୁଇ ହାତେ କିଏ ଗ୍ରାସେ

ବୃଦ୍ଧର କରୁ ଛଡ଼ାଇ ନିଅଇ ଯୁବକ ବିକଟ ହାସେ

ନିଜର ଖାଦ୍ୟ ଶେଷ କରି ମାଆ ଛଡ଼ାଏ ଶିଶୁର ଗ୍ରାସ

ଭଉଣୀ ଆହାରେ ସ୍ନେହଶୀଳ ଭାଇ ଲୋଭକରେ ପରକାଶ

ମଣିଷର ଖୋଳ ବାହାରେ ହସଇ ଭିତର ମଣିଷପଣେ

ପଶୁର ଆଦିମ ବୃତ୍ତି ଆସିଛି ଅବତାର ଧରି ମନେ

ଦେଖ ହେ ମଣିଷ ଭାଇ

ନାରୀ ପୁରୁଷର ମାତା ପୁତ୍ରର ଭେଦ ଆଜି ତିଳେ ନାହିଁ ।

***

 

ବୁଦ୍ଧଙ୍କ ଆଶୀର୍ବାଦ

 

ଶରଦର ଖରତର ଖରା କରଇ ପ୍ରଚାର

ବୁଦ୍ଧଦେବ ଲଭିଲେ ଆଲୋକ, ଆଲୋକ ଉଦାର ।

 

ଫଲ୍‍ଗୁତୀରେ ଫୁଲ ଆଖି ମେଲି ପୃଥ୍ୱୀଦେବୀ ଚାହେଁ

ଚଉଦିଗ କହେ ନମସ୍କାର ବୁଦ୍ଧଦେବ ଆହେ ।

 

ଧାଇଁ ଧାଇଁ ବୋଲଇ ପବନ ଶୁଣ ସର୍ବ ଲୋକ

ପୁହାଇବେ ଅମାରାତି ପୃଥିବୀ ଆଲୋକ ।

 

କାହିଁ ବୁଦ୍ଧ ବୋଧିବୃକ୍ଷ ତଳେ ? କଙ୍କାଳର ଅଙ୍ଗେ

ଯା’ ଆସ କରୁଛି ନିଃଶ୍ୱାସ ତରଙ୍ଗେ ତରଙ୍ଗେ ।

 

ତଥାପି ସେ ଆଖି ଖୋଲେ ଖୋଲେ ବିଜୁଳି ଚମକେ

ଅସ୍ଥିମାଳେ ଫୁଟେ ଦିବ୍ୟ ତେଜ ସ୍ତବକେ ସ୍ତବକେ ।

 

ସେ ଆଲୋକେ ହେଲେ ଅବନତ ତ୍ରପୁଷ ଭଲ୍ଲିକ

ରବି କି ଆଚରିଛନ୍ତି ଏଥି ବ୍ରତ ତାପସିକ ?

 

 

 

ଝରି ଝରି ବଦନୁଁ ଚାନ୍ଦିନୀ ଆଲୋକେ କାନନ

ଆନନର ଦରପଣେ ଫୁଟି ଦିଶେ ତ୍ରିଭୁବନ ।

 

ବନର ଦେବତା ମଣି ପାଦେ ଦେଲେ ପୁଷ୍ପାଞ୍ଜଳି

ମନର କରୁଣା ତିଳେ ଗଲା ଝରି ଝରି ।

 

ଅନାହାରେ ଆହାରେ କାହିଁକି ଏ ଦେହ ମଳିନ

ଗୋଟି ଗୋଟି ଗଣଇ ପିଞ୍ଜରା ଶ୍ୱାସ ଅତି କ୍ଷୀଣ ।

 

ସୁବର୍ଣ୍ଣର ଥାଳି ଦେଲେ ଭେଟି ଇକ୍ଷୁ ମଧୁ ଭରି

ବୁକୁର ବେଦନା ବିନ୍ଦୁ ବିନ୍ଦୁ ଲୁହେ ପଡ଼େ ଝରି ।

 

ଘେନିଲେ ସେ ଭକତିର ଅର୍ଘ୍ୟ କ୍ଷୀଣ କର ପାତି

କରୁଣାରେ ପାଣି ହୋଇଗଲା ବୁଦ୍ଧଙ୍କର ଛାତି ।

 

ମଣିଷର ଉଦାର ଅନ୍ତରେ ଦେଖେଁ ଭଗବାନେ

ଏତେ କାଳ ତପସ୍ୟାରେ ମୁହିଁ ଥିଲି ଯା ସନ୍ଧାନେ ।

 

ଜାଣେନା ମୁଁ ସ୍ୱର୍ଗଭୂମି ଅବା ବୁଝେନା ଦେବତା

ପର ଦୁଃଖେ ଯା’ର ଅନ୍ତସ୍ତଳୁ ଝରଇ ମମତା ।

 

କରୁଣାର ଦିବ୍ୟଭୂମି ତାର ନିର୍ମଳ ଅନ୍ତର

ଅଶ୍ରୁ ତାର ପରମ ପବିତ୍ର ସ୍ୱର୍ଗ ଗଙ୍ଗା ଜଳ

 

ଉଦାରତା କଳ୍ପବଟ ତହିଁ ତ୍ୟାଗ କାମଧେନୁ

କର୍ମେ କର୍ମେ ଝରଇ ମହତ୍ତ୍ୱ ପାରିଜାତ ରେଣୁ ।

 

ପୂଜେ ତେଣୁ ହୃଦୟ ମନ୍ଦିରେ ପବିତ୍ର ମଣିଷ

କହୁଁ କହୁଁ ଝରି ଆସେ ଆପେ ସ୍ୱର୍ଗୀୟ ଆଶିଷ ।

 

ବଣିକ ହେ ସର୍ବ ଭାବେ ହେଉ ତୁମର ମଙ୍ଗଳ

ଉଦାର ଉନ୍ନତ ହେଉ ପ୍ରାଣ ସାଧନା ଉଜ୍ଜ୍ୱଳ ।

 

ପୋତମାଳା ଧାଉଁ ପାରାବାରେ ବୋହିଆଣୁ ଧନ

ଲକ୍ଷ୍ମୀଦେବୀ ସ୍କନ୍ଧେ ବିରାଜନ୍ତୁ ପୁଷ୍ପମାଲ୍ୟ ସମ ।

 

ଢାଳିଦିଅ ସେହି ଧନରାଶି ନିଖିଳ କଲ୍ୟାଣେ

ନ ଆସୁ ହେ ଜାତିଦେଶଭେଦ ବର୍ଣ୍ଣଭେଦ ପ୍ରାଣେ ।

 

ଚଉଦିଗୁଁ ରୋଗ ଶୋକ ଛାୟା ଦିଅ ଦୂର କରି

ଦେଶେ ଦେଶେ ନବୀନ ଆଲୋକ ଉଠୁ ହେ ସଞ୍ଚରି ।

 

ବେନି ଶିଷ୍ୟ ପଡ଼ିଛନ୍ତି ପଦେ ଝରେ ଅଶ୍ରୁଧାର

ଅକସ୍ମାତ୍‍ ପଶିଅଛି ପ୍ରାଣେ ରଶ୍ମିର ଜୁଆର ।

 

କାନନ ମର୍ମର ସ୍ୱପ୍ନେ ଶୁଭେ ମଧୁପ ରଣନ

ବୁଦ୍ଧଙ୍କ ଶରଣ ଗଳ୍ପ ଆମେ ଧର୍ମର ଶରଣ ।

***

 

ଘରଣୀ

 

କୁଆଁତରା ଡାକେ ନିଦ ଭାଜିନାହିଁ କୁଆର

ତରବର ହୋଇ ଘରଣୀ ଲିପଇ ଦୁଆର ।

 

ମୁରୁଜର ଫୁଲ ଦିଏ ସେ ଫୁଟାଇ

ଧାନ ଶିଷାମାନ ଦିଏ ସେ ଲୋଟାଇ ।

 

ଚିତା ପାଦେ ପାଦ ପଡ଼ିବ ଲଖିମୀ ମାଆର

କୁଆତରା ଡାକେ ନିଦ ଭାଜି ନାହିଁ କୁଆର ।

 

ବାଡ଼ିରୁ ଅଗଣା ବେଗି ବେଗ ଯାଏ ଓଳାଇ

ପକାଇ ଦିଅଇ ଗୋବର ପାଣି ସେ ଗୋଳାଇ ।

 

ଅବେଇ ଛତର ଜିନିଷ ପତର

ଶେଯ ଟେକି ଦିଏ ସଜାଡ଼ି ସେ ଘର ।

 

ଘଡ଼ି ଭାତ ଲାଗି ଚୁଲି ଯେ ଦିଅଇ ଜଳାଇ

ବାଡ଼ିରୁ ଅଗଣା ବେଗି ବେଗି ଯାଏ ଓଳାଇ ।

 

 

 

ଅଣ୍ଟିରେ ମୁଢ଼ି ଉଖୁଡ଼ା ଦେଲାରୁ ସଜାଡ଼ି

ବସ୍ତାନି ଘେନି କୁନିଆ ଗଲାଣି ଚାହାଳୀ ।

 

ଟୁନା କହେ ‘କୋରା ଯାଚିଥିଲୁ କାଲି’

କାନି ଧରି ଟୁନା କହେ ଲୁହ ଢାଳି ।

 

‘କରି ଦେ ଗୋ ମାଆ ବରଡ଼ା ପତର କାହାଳୀ’

ବସ୍ତାନି ଘେନି କୁନିଆ ଗଲାଣି ଚାହାଳି ।

 

ଛତା ବାଡ଼ି ଦିଶେ ଆସିଲେଣି ସାନ କକେଇ

ଟୁବ୍‍ କରି ବୁଡ଼ି ଆସେ ପାଣି ଗରା କାଖେଇ ।

 

ହାଟେ ଯିବେ ଦାଉ ଘର ମଣିଷର

ଯୋଗୀ ଡାକେ ‘ମାଆ ରାଣୀ ଦୟାକର’ ।

 

କାନ୍ଦଇ ପିଲା, ଭାତ ହୋଇଯାଏ ନକେଇ

ଟୁବ୍‍ କରି ବୁଡ଼ି ଆସେ ପାଣିଗରା କାଖେଇ ।

 

ପଡ଼ୋଶୀ ଦୁଆରେ କଳି କରିବାକୁ ତିଆର

ଖାଇଲା ବାଛୁରୀ ମୃଗ କି କୋଳଥ ତାହାର ।

 

ପାଦୁକର ପାଣି ଧରି ଡାକେ ମାଳୀ

‘ପାନ ନବ ପାନ’ କେ ଛାଡ଼େ ବୋବାଳି ।

 

ମାଗୁଛି ପଇସା ବାକି ଥିଲା ରାମା ମାଆର

ପଡ଼ୋଶୀ ଦୁଆରେ କଳି କରିବାକୁ ତିଆର ।

 

ଡାକଇ କେଳୁଣୀ ‘ଚିତା କୁଟାଇବ ସଜନୀ ?’

‘ହେଲା କି ନ ହେଲା ଭାର ଦେଖ’ ଡାକେ ଭଜନି ।

 

ଚୁଲି ଉପରକୁ ଜଳି ଆସେ ଜାଳ

ଦୁଧ ଖାଇବାକୁ ପୁଅର କଟାଳ ।

 

‘ଗାଈ ଫିଟାଅ ହୋ’ ଡାକେ ଗୋଠିଆଳ ପଦନି

ଡାକଇ କେଳୁଣୀ ‘ଚିତା କୁଟାଇବ ସଜନୀ ?’

 

ଆଡ଼ତି ପତରେ ଘୂରେ ସାରାଦିନ ଚରକି

ଚାରି ଦିଗେ ଥାଏ ନଜର କି ନେବ ଚୋର କି ?

 

ନିଆଁ ପାଣି ପାଖେ ପିଲା ଗଲା କିରେ ?

ଦୁଧ କି ଉତୁରି ପଶିଲା ଚୁଲିରେ ?

 

ଲାଗିଥାଏ ହାତ, ବୁଲୁଥାଏ ମନ ତରକି

ଚାରିଆଡ଼େ ଥାଏ ନଜର କି ନେବ ଚୋର କି ?

 

ବାର ଓଷା ବ୍ରତେ ଶୁଖି ଶୁଖି ଯାଏ ଘରଣୀ

ପୁଅ ଝିଅ ଦୁଃଖେ ଜଗି ବସେ ସାରା ରଜନୀ ।

 

ସ୍ୱାମୀ ସେବା ଏଣେ ପିଲାଝିଲା ଛଟା

କେତେ ମୁହଁ ଫୁଲା କେତେ ହଟ ହଟା ।

 

ସାହସିକ ପଣେ ସାକ୍ଷାତେ ଦେବୀ ଧରଣୀ

ବୁକେ ବ୍ୟଥା ମୁଖେ ହସ ରଖିଥାଏ ଘରଣୀ ।

 

ଲୁହା ଆଉ ଲୁହେ ଗଢ଼ା ଯେ ତାହାର ଜୀବନ

ସହଇ ସେ ତୋଡ଼ ବହେ ଯେତେ ଝଡ଼ ପବନ ।

 

କେଉଁ ବିପଦକୁ ତିଳେ ନାହିଁ ଦକା

ପତି ପୁଅ ରୋଗେ ହୁଅଇ ତାଟକା ।

 

ଲୁହାର ଛାତି ସେ ହୋଇଯାଏ ଲୁହ ଝରଣ

ଲୁହା ଆଉ ଲୁହେ ଗଢ଼ା ଯେ ଘରଣୀ ଜୀବନ ।

***

 

ସାରଳା ଦାସ

 

ଆଷାଢ଼ ନିର୍ଜ୍ଜନ ରାତି ନିବିଡ଼ ଅନ୍ଧାର

ଡେଣା ଝାଡ଼ି କରେ ବୃଷ୍ଟି ଶୋକ ହାହାକାର

 

ଶ୍ରୀହୀନ ସଂସାରେ, ବିଦ୍ୟୁତ୍‍ ସୁବର୍ଣ୍ଣ ସଞ୍ଚାଣ

ସମ ଝାମ୍ପେ ଝାମ୍ପେ ବର୍ଷେ ପକ୍ୱଶୀର୍ଷ ଧାନ

 

ସମ ସ୍ୱର୍ଣ୍ଣପର, ଘୋର ନଇରାଶ୍ୟ ତମେ

ଭ୍ରମଇ କି କ୍ଷୀଣ ଆଶା ଦୁର୍ବଳର ମନେ !

 

ନୀରନ୍ଧ୍ର ଗୋହିରି ପଥ ଭରା କିଆ କୁଞ୍ଜେ

ମିଞ୍ଜିମିଞ୍ଜି ଜଳେ ଶତ ଖଦ୍ୟୋତର ପୁଞ୍ଜେ

 

ନିଦ୍ରାଳୁ ନୟନ ଯା’ର, ବିଦ୍ରୂପେ ଝିଙ୍କାରୀ

ଅନ୍ଧକାର କୁମ୍ଭକର୍ଣ୍ଣ ସମ ହାଇ ମାରି

 

ହୁଏ ପୁଣି ନିଦ୍ରାମଗ୍ନ; ଦୁଃଖୀ ସିଦ୍ଧେଶ୍ୱର

ଚାଲିଛନ୍ତି ଏଇ ପଥେ ନେତ୍ରୁଁ ଝର ଝର

 

 

 

ବାରି ଝରେ ଅବିରତ, ବରଷା ବତାସ

ସଙ୍ଗେ ସମ ତାଳ ଦିଏ ହୃଦୟ ଉଚ୍ଛ୍ୱାସ ।

 

ଅଯତ୍ନ ବର୍ଦ୍ଧିତ କେଶ ଲୋଟେ କେରି କେରି

ବିଷାଦ ବିଦୀର୍ଣ୍ଣ ମୁଖେ, ଅପମାନ ଘେରି

 

ରହିଛି ଅନ୍ତରେ ପୁଣି ଚୌଦିଗେ ଅନ୍ଧାର

ଅନ୍ଧାରେ ଗଠିତ ଯେହ୍ନେ ଜୀବନ ତାହାର !

 

କହନ୍ତି ସେ, ‘‘ହାୟ ପିତା ଦେଲ ମୋତେ ଗାଳି

ଫିଙ୍ଗିଦେଲ କୋଳୁଁ ମୋତେ, ନୟନ ସଂଖାଳି

 

ଅନ୍ଧର ଲଉଡ଼ି, ସୁଖ ଚାନ୍ଦିନୀ ପସରା

ଥିଲି ତବ, ମୂର୍ଖ ବୋଲି ପରକଲ ପରା !

 

ଭ୍ରୂକୁଟି କୁଟିଳ ଆସ୍ୟ, ଆରକ୍ତ ଲୋଚନ

ଝଞ୍ଜାକ୍ରୂର ହାସ୍ୟ, ବଜ୍ର କଠୋର ବଚନ

 

ସହନ୍ତି କିପରି ରକ୍ତ ମାଂସ ଦେହ ବହି

‘ମୂର୍ଖ ଯେହୁ ମୃତ ସେହୁ’ ଦେଲ ତଡ଼ି କହି ।’’

 

‘‘ଦିନରାତି ଘୋଷି ଘୋଷି ନ ରହିଲା ମନେ

କିବା ଦୋଷ ମୋର ? ଶ୍ରମ କାତର ଜୀବନେ

 

ହୋଇନାହିଁ, କାଟିନାହିଁ ଖଳ ସଙ୍ଗେ କାଳ;

ବିଦ୍ୟାଦେବୀ, ଅକାରଣ ଆଶୀର୍ବାଦ ଢାଳ

 

କାହା ଶିରେ, ଆଜୀବନ ତପସ୍ୟା ଆଚରି

ଆବରେ କେ ଲାଞ୍ଛନାର ବିଷାକ୍ତ ଉତ୍ତରୀ

 

ତଳେ କଳଙ୍କିତ ମୁଖ, ମୂର୍ଖର ଜୀବନ

ଜୀବନ ନୁହଇ ଘୋର କଣ୍ଟକ କାନନ ।

 

ଚକ୍ଷୁ ଥାଇ ଚକ୍ଷୁହୀନ, କର୍ଣ୍ଣ ଥାଇ ଜଡ଼

ରସନା ଥାଇ ସେ ମୂକ, ଇନ୍ଦ୍ରିୟ ସକଳ

 

ସମାଧି ଘେନନ୍ତି ଯେହ୍ନେ ଅଜ୍ଞାନ-କନ୍ଦରେ

ନିର୍ଜୀବ ଜୀବନ ସ୍ପନ୍ଦ ବହି ବକ୍ଷସ୍ଥଳେ

 

ଜ୍ଞାନର ଜୋଛନା ଯେବେ ପଡ଼ଇ ଉଛୁଳି

ଅଦୃଶ୍ୟ ନୟନ କଣେ, ମର୍ତ୍ତ୍ୟଭୂମି ଭୁଲି

 

ଭ୍ରମେ ସୁଧୀ ସ୍ୱର୍ଗପୁରେ, ଅମର ଯେସନ

କଳ୍ପନାରେ ଭୋଗେ ଦିବ୍ୟ କୁବେର କାଞ୍ଚନ

 

ଇନ୍ଦ୍ରର ନନ୍ଦନବନ, ଉର୍ବଶୀର ରାସ

ପୀୟୂଷ ମାଧୁରୀ ଅବା ମନ୍ଦାର ସୁବାସ ।

 

ନିଃସ୍ୱ ସୁଧୀ ମହାଧନୀ ! ଧନୀମୂର୍ଖ ହାୟ

ଚିତ୍ରକର ରଙ୍ଗବୋଳା ପ୍ରତିମା ପରାୟ

 

ବିମଣ୍ଡିତ ହୋଇ ନାନା ରତ୍ନ ଅଳଙ୍କାରେ

ମାନସ ତୋଷଇ ମାତ୍ର ଆକାର ପ୍ରକାରେ ।

 

ମନର ମନ୍ଦିରେ ସେ କି ପାରଇ ସଜାଇ

ହୀରା ନୀଳା ରତ୍ନରାଜି ? ନିଜରେ ହଜାଇ

 

ପାରେ କି ସେ ମହା ବିଶ୍ୱ ପ୍ରବାହ ଅନ୍ତରେ ?

ବିବର କୁଜ୍‍ଝଟୀ ତଳେ କୀଟ ସମ ବଢ଼େ ।

 

ତ୍ରିନେତ୍ର ଲଲାଟ ପଟ ବିଦ୍ୟାର ଚାନ୍ଦିନୀ

ବିକାଶେ ନା ତା ରୂପସୀ ପ୍ରାଣ-କୁମୁଦିନୀ ।

 

ମୂର୍ଖ ରହିବି କି ମୁହିଁ ଜୀବନ୍ମୃତ ସମ ?

ମୃତ୍ୟୁ ପଥ ନୁହଇ ତ ବିକଟ ବିଷମ !

 

ରସନାରେ ଢାଳିଦେଲେ ତୀବ୍ର ହଳାହଳ

ବେଦନା ବ୍ୟାକୁଳ ଚିତ୍ତ ହୁଅନ୍ତା ନିଶ୍ଚଳ !

 

କରିବି କି ଆତ୍ମହତ୍ୟା ଜଳେ ଦେହ ଝାସି ?

ବିଭୀଷିକାମୟ ପାପ ! ଅଜ୍ଞାନତା ରାଶି

 

ହେବ କି ସଲିଳେ ଧୌତ; ଗରଳେ ପବିତ୍ର ?

କି ଲାଗି ଏ ଆତ୍ମହତ୍ୟା ଅତୀବ ବିଚିତ୍ର !

 

ଏ ଜୀବନ ପଣେ କରି ଅସାଧ୍ୟ ସାଧନ

ଆଣିବି ସିଦ୍ଧିକି ଟାଣି ଏ ମୋ ଦୃଢ଼ପଣ ।’’

 

ତେନ୍ତୁଳିଆପଦା ତେଜି କୃଷକ କିଶୋର

ଝଙ୍କଡ଼େ ମିଳିଲେ ଦେବୀ ଭାବରେ ବିଭୋର

 

ସିଦ୍ଧେଶ୍ୱର, ଯାହା ଭାବେ ନ କରି ନ ଛାଡ଼େ

ପ୍ରାଣ ଯାଉ ପଣ ରହୁ ଚାଲେ ଖଣ୍ଡା ଦାଢ଼େ

 

କର୍ତ୍ତବ୍ୟର, ଚନ୍ଦ୍ରଭାଗା ପୂର୍ଣ୍ଣ ବନ୍ୟାଜଳେ,

ଗୁଳ୍ମିତ କାନନ ଭରା ମଣ୍ଡୁକ ଚହଳେ ।

 

ଲଙ୍ଘି ବାଧାବିଘ୍ନରାଶି ସାରଳା ମନ୍ଦିରେ

ନିଶାର ଦ୍ୱିତୀୟ ଯାମେ ପ୍ରବେଶିଲେ ଧୀରେ

 

ସିଦ୍ଧେଶ୍ୱର, ଆର୍ଦ୍ରବାସ, ଝରେ ରକ୍ତଧାରା

ଚରଣେ କଣ୍ଟକ ଫୁଟି, ଡୁବେ ନେତ୍ର ତାରା

 

ଉଷ୍ମ ଅଶ୍ରୁ ପ୍ରସ୍ରବଣେ, ବିଷାଦ ହତାଶେ

ପଡ଼ିଲେ ସେ ଚଣ୍ଡୀପଦେ ସୁଦୃଢ଼ ବିଶ୍ୱାସେ ।

 

କେତେ ଦିନ ଅନ୍ତେ ଦେବୀ କେଶ ଫୁଲମାଳ

ଝରିଗଲା ବରରୂପେ, ପୂରିଗଲା ଥାଳ

 

ପୂଜକର, ନିଃସରିଲା ଏ ଗମ୍ଭୀର ବାଣୀ

‘‘ନିଅ ସିଦ୍ଧେଶ୍ୱର ଏବେ ନିଅରେ ମେଲାଣି

 

ପୂର୍ଣ୍ଣ ତୋର ମନସ୍କାମ, ଯୁଗେ ଯୁଗେ କବି

ହୋଇ ଆଙ୍କୁଥିବୁ ଚିର ନବ ନବ ଛବି

 

ଶତାବ୍ଦୀ ଅନ୍ଧାର ତଳେ ନାମ ଯାର ଝଳେ

ଚନ୍ଦ୍ରରୂପେ, ଅମୃତର ଧାରା କାବ୍ୟ ଛଳେ

 

ବର୍ଷିଲା ଯେ ଶୁଷ୍କମରୁ ଅନ୍ତରେ ଅନ୍ତରେ

ବୀଣା ଦେଇଥିଲି ସେଇ କାଳିଦାସ କରେ ।

 

କାଳିଦାସ ଅବତାର ହେ ସାରଳା ଦାସ,

ନିଖିଳ ଭୁବନଜୟୀ ଯେ ଆତ୍ମବିଶ୍ୱାସ

 

ସେଇ ବଳେ ହୁଅ ବଳୀ, ଖଣ୍ଡ କ୍ଷୁଦ୍ର କରି

ନିଜରେ ଦେଖଇ ଯୋହୁ ନିଜର ସେ ଅରି ।

 

ସାରସ୍ୱତ ପୁଣ୍ୟାଶ୍ରମେ ଆଦ୍ୟ ତପୋଧନ

ସିଦ୍ଧେଶ୍ୱର, ଦିଅ ନବ-ବାକ୍‍ମୟ ଜୀବନ

 

ଏ ଉତ୍କଳେ, ଗୃହେ ଗୃହେ ବୀଣା ତୋର ବାଜୁ

ମହାଭାରତର ତତ୍ତ୍ୱ ମୁଖେ ମୁଖେ ରାଜୁ ।

 

ରଚନ୍ତୁ ସହସ୍ର କାବ୍ୟ କବି ପରମ୍ପରା ।

ଉତ୍କଳୀୟ କାବ୍ୟ ରତ୍ନେ ହସୁ ବସୁନ୍ଧରା ।’’

 

ବାଷ୍ପଗଦଗଦ କଣ୍ଠେ କହେ ସିଦ୍ଧେଶ୍ୱର,

‘‘ନନ୍ଦନ ମନ୍ଦାର କାହିଁ ତୋଳେ ମର୍ତ୍ତ୍ୟ-ନର ?

 

ସୁଧା ଲତା ଜନ୍ମଇ କି ବସୁଧାର ତଳେ ?

ଉଷର ହୃଦେ କି କାବ୍ୟ କଳ୍ପ-ତରୁ ଫଳେ ?

 

କରୁଣା କଟାକ୍ଷେ ଦେବୀ ଅନାଇଲେ ଥରେ

କ୍ରୀଡ଼ିବ ତଡ଼ିତ କ୍ଷଣେ ତମିସ୍ର କନ୍ଦରେ ।

 

ସାନ୍ଦ୍ରାନନ୍ଦେ ଚନ୍ଦ୍ରମୁଖ ଅନାଇ ଉଷରେ

ଜନମିବ ଶ୍ୟାମ ଦୂର୍ବା, ମରୁ ଜଳଧିରେ

 

ପ୍ଳାବିବେ ତୃଷିତା ମହୀ, ହୋଇବ ସ୍ପନ୍ଦିତ

ଶୋଣିତେ ନିଦ୍ରିତ ଶକ୍ତି, ଚିର ବିକଶିତ

 

ହୃଦ-ପଦ୍ମ ବରଷିବ ସୁଧା ସୁମଧୁର

ସାଧ୍ୟ ହେବ ପଥ ଯାହା ଦୁର୍ଗମ ବନ୍ଧୁର ।’’

 

ଭାଷିଲେ ସାରଳା, ‘‘ରଚି ଶ୍ରୀମହାଭାରତ

ଯିବୁ ଚନ୍ଦ୍ର ଭାଗା ତୀରେ କର ଏହି ସତ୍ୟ ।

 

ଫିଙ୍ଗିବୁ ସକଳ ତାଳପତ୍ର ଏକାବେଳେ

ଡୁବିଯିବ ଅସୁନ୍ଦର, ଭାସୁଥିବ ଖେଳେ

 

ତରଙ୍ଗେ ସୁନ୍ଦର ଗୀତି, ରଖ ଏହା ମନେ

ଯାହା ଆସେ ଯାଅ ଲେଖି ଜନନୀ ସ୍ମରଣେ

 

ଭାସମାନ ପତ୍ରରାଜି ଗୁନ୍ଥି କ୍ରମାନ୍ୱୟେ

ସାଇତି ରଖିବୁ ଗ୍ରନ୍ଥ ପରମ ଆଗ୍ରହେ ।

 

ଉତ୍କଳର ଗୃହେ ଗୃହେ ହେବ ସେ ପଠିତ

ଚିର ତୋ ଅକ୍ଷୟ କୀର୍ତ୍ତି ରହିବ ନିଶ୍ଚିତ ।’’

 

ବାହାରେ ଚନ୍ଦ୍ରମା, ହୃଦେ ଆନନ୍ଦ ଉଜ୍ଜ୍ୱଳ

ଅନ୍ତର୍ବହି ଏକାକାର ଫେରେ ସିଦ୍ଧେଶ୍ୱର ।

 

ଚାଲିଛି ପଣ୍ଡିତ ସଭା ଶାସ୍ତ୍ର ଆଲୋଚନା

ବିଦଗ୍ଧ ଦର୍ଶକଗଣେ ପୂରିଛି ପ୍ରାଙ୍ଗଣ ।

 

ରତ୍ନରାଜି ଝଲମଲ, ମଣ୍ଡି ସିଂହାସନ

ବସିଛନ୍ତି ଗଜପତି, ଆନନ୍ଦେ ମଗନ

 

ହୋଇ ଶୁଣୁଛନ୍ତି ଜ୍ଞାନ ବିଜ୍ଞାନ ଭାଷଣ

ଏ କାଳେ ମିଳିଲେ କବି ବିନୟ-ଭୂଷଣ;

 

ଛିନ୍ନବାସ, ଜୀର୍ଣ୍ଣ ଦେହ, ଦୀର୍ଣ୍ଣ ନୟନରୁ

ପ୍ରେମର ପ୍ରବାହ ପ୍ଳାବେ ଦଗ୍ଧ ବକ୍ଷ-ମରୁ ।

 

ଲଲାଟ ମଣ୍ଡଳେ ଦିବ୍ୟ ଜ୍ୟୋତି ଚମକଇ,

ଅଷ୍ଟ ପୁଟେ ଦେବତ୍ୱର ନିଷ୍ଠା ଦହକଇ ।

 

କହନ୍ତି ସାରଳା ଦାସ ଗଦଗଦ ବାଣୀ,

‘‘ହିଙ୍ଗୁଳା ପ୍ରସାଦେ ଏକ କାବ୍ୟ ଅଛି ଆଣି ।

 

ପଡ଼ିବ କି ସୁଧୀ ଦୃଷ୍ଟି ? କହନ୍ତି ସେ ଯାହା

ନିଶାକାଳେ ନ ଭାବି ମୁଁ ଲେଖିଯାଏ ତାହା ।

 

କାହିଁ କାବ୍ୟଚନ୍ଦ୍ର, କାହିଁ ଉଦ୍‍ବାହୁ ବାମନ

ଦେବୀର କରୁଣା ବଳେ ଦୁଃସାହସ ମମ ।’’

 

କେତେ ପୃଷ୍ଠା ଓଲଟାଇ ଜ୍ଞାନ ଅଭିମାନୀ,

ରାଜଗଉରବ ଦୃପ୍ତ ମୋହାନ୍ଧ ଗୁମାନୀ

 

ବ୍ରାହ୍ମଣ ପଣ୍ଡିତ ସର୍ବେ କଲେ ହାସ୍ୟ ବ୍ୟଙ୍ଗ

‘‘ଚଷା ମୂଢ଼ ଜାଣିଲା କି କାବ୍ୟ ରସ ରଙ୍ଗ ?

 

ସାରମେୟ ବୁଝିଲା କି ଯଜ୍ଞ ହବି ସ୍ୱାଦ,

ଦେବଦ୍ୱିଜ ଭୋଗ୍ୟ ଯାହା, ଆକାଶ ପ୍ରାସାଦ

 

ଚଢ଼ିଲା କି ପିପୀଲିକା ? ଦୀପରୁଖା ଭାବେ

ଧରିଛି ସେ ଦିନନାଥ ଗରବୀ ସ୍ୱଭାବେ ।

 

କାବ୍ୟ କୃଷ୍ଟି ନୁହଇରେ ପାଗଳ ପ୍ରଳାପ

ବ୍ୟୁତ୍ପତ୍ତି, ଅଭ୍ୟାସ ଲୋଡ଼ା ପ୍ରତିଭା ଅମାପ

 

ଅନନ୍ତ ସୌନ୍ଦର୍ଯ୍ୟବୋଧ, ପେଚକ ପଞ୍ଚମେ

ଗାଏ କି ହେ ସାମ ଗାନ ? ପରିହାସ କ୍ରମେ

 

କହନ୍ତି ମାନବେ ସିନା, ସାରଳା ପ୍ରସାଦ

ଲଭିଛି ପଧାନ ଓଡ଼ କୀଟର ଦାୟାଦ !

 

ପ୍ରାକୃତେ ଲେଖିଛି ପୁଣି ତେଜି ଦେବଭାଷା,

ରାଜ ଗଉରବ ଲାଗି ଦାମ୍ଭିକର ଆଶା ।

 

ଆସିଛି ହେ, ଏ କବିତା ମୂର୍ଖ ପାଇଁ ଲେଖା

ପଡ଼ିନାହିଁ ଏ ନିକଷେ ଜ୍ଞାନ-ରଶ୍ମି ରେଖା ।’’

 

ଫିଙ୍ଗିଦେଲେ ଅଭିମାନେ, ଅଶ୍ରୁଧାରେ ଦ୍ରବି

ଗଲେ ଯେହ୍ନେ ପଲ୍ଲୀକବି ରସାତଳେ ଦବି !

 

ଲାଞ୍ଛନାରେ ଦଗ୍ଧୀଭୂତ ମୁଖ ନତ କରି

ଫେରିଲେ ଦରିଦ୍ର ପଲ୍ଲୀ-କୁଟୀରେ ସୁମରି

 

ସାରଳା, କବିରେ ଏ ଯେ ଘୋର ଅପମାନ

ଅନ୍ଧକାର ରୂପେ କଲା ବ୍ରତୀ ଅଭିଯାନ

 

ଧରାବକ୍ଷେ, ‘‘ସତ୍ୟ-ଶିବ-ସୁନ୍ଦର ପୂଜାରୀ

ହୃଦୟ ବିଦାରେ ଯଦି କପଟ କଟାରୀ

 

କରିବି ବିଲୋପ ସର୍ବ’’ ଭାବି ଅନ୍ଧକାର

ଭରିଲା କରାଳ ଗର୍ଭେ ନିଖିଳ ସଂସାର ।

 

ଉଠିଲା ପାହାନ୍ତି ତାରା କରି ପରସନ୍ନ

ନିଖିଳ ହୃଦୟ ବୁଦ୍ଧି, ଦେଖିଲେ ସପନ

 

କପିଳେନ୍ଦ୍ର ଗଜପତି ଉତ୍କଳ-ସମ୍ରାଟ

ଝଙ୍କଡ଼ବାସିନୀ ଦେବୀ ଶ୍ରମୁଖ ପ୍ରଶାନ୍ତ ।

 

ବୀଣା ବିନିନ୍ଦିତ ସ୍ୱରେ କହନ୍ତି ଏ ବାଣୀ

‘‘ଭକ୍ତକବି ହୃଦେ ଦେଲୁ ବଜ୍ରବାଣ ହାଣି

 

ସେଇ ବାଣେ ଦଗ୍ଧ ଦେହ ଦେଖରେ ମୋହର

କବି ଯେ ମୋହର ଚିର ମୁହିଁ କବିଙ୍କର ।

 

ଭକ୍ତର ଲାଞ୍ଛନା ସର୍ବ ବହିଛି ଅନ୍ତରେ

ଅହଙ୍କାରମୟ ରାଜ୍ୟ ଦୁରନ୍ତ ଅନଳେ

 

ଦହିବ ସେ, ଇଚ୍ଛୁ ଯେବେ ରାଜ୍ୟର ମଙ୍ଗଳ

ଅସମ୍ମାନେ ଆଣ ବରି ଭକ୍ତ କବିବର ।’’

 

ଏତେ କହି ମହାଦେବୀ ହେଲେ ଅନ୍ତର୍ଦ୍ଧାନ,

ଦୁଷ୍କୃତି ସୁମରି ରାଜା ଦୁଃଖେ ମୁହ୍ୟମାନ

 

ଡକାଇଲେ ସୁଧୀସଭା, ପଠାଇ ପାଲିଙ୍କି,

ଅର୍ଘ୍ୟେ ବରି ସସମ୍ମାନେ ଆଣିଲେ କବିଙ୍କି ।

 

କୋରକିତ କରେ ଯେତେ ପଣ୍ଡିତମଣ୍ଡଳୀ

କଲେ କ୍ଷମା ଭିକ୍ଷା, କବି ବସିଲେ ଉଜ୍ଜ୍ୱଳି

 

ରାଜସଭା, ଗଳେ ପୁଷ୍ପ ରତନ ଭୂଷଣ

ରାଜ ଉପଚାରେ କବି ମଣିଲେ ଦୂଷଣ

 

ସହଜ ସୁନ୍ଦର ବେଶେ, ବିନୟ ଆଳାପେ

ନେତ୍ରୁଁ ଝର ଝର ଅଶ୍ରୁ ଝରେ ଆପେ ଆପେ ।

 

‘‘ବନ୍ଦିଲେ ସାରଳା କବି ଭାବ ଗଦ ଗଦ

ମୂର୍ଖ ସିଦ୍ଧେଶ୍ୱରେ ହେଲୁ ମହାକବି ପଦ

 

ହିଙ୍ଗୁଳା ଗୋ ! ତେନ୍ତୁଳିଆ ଶ୍ମଶାନ ଭିକାରି,

ତୋ ପ୍ରସାଦେ ଆଜି ରାଜ-ସମ୍ମାନାଧିକାରୀ ।’’

***

 

‘ପରଜା’ ପଲ୍ଲୀରେ ବର୍ଷା

 

ଆଜି ଟପର ଟପର ଝଡ଼ିଆ ବରଷା

ବଡ଼ ଶୀତୁଳିଆ ପାଗ

କାହା ପଦ୍ମତୋଳାରେ ଫଣା ତୋଳେ କିରେ

ଚମକି ବିଜୁଳି ନାଗ ?

 

ଲତା ପତରେ ପତରେ ଚାଙ୍ଗୁ ବଜାଏ

ଟପ ଟପ ଟୋପା ପାଣି

କାହିଁ ମେଘୁଆ କୁହୁଡ଼ି ଭିତରେ ଦିହୁଡ଼ି

ଜାଳଇ ବିଜୁଳି ଠାଣି ।

 

କାହିଁ ଶଇଳ ଲଜ୍ଜା ଲୁଚାଏ ବାଦଲ

କଟିର ବସନ ହୋଇ

ଧଳା ବଉଦ ଦିଶଇ ଶଇଳେ ସତେ କି

ସଉଧ ଦେଲା କେ ଥୋଇ !

 

ଗିରି ବାଦଲ ମୁକୁଟେ ବିଜୁଳି ଉକୁଟେ

ଝଟକେ ରତନ ତୋରା

 

 

ମେଘ ତୁଙ୍ଗ ଶୃଙ୍ଗ ଶଇଳ ଉପରେ

କାହିଁ ହୋଇଯାଏ ତୋଳା ।

 

ଯାଏ ଉଡ଼ି ଉଡ଼ି କେତେ ମେଘର ବାମ୍ଫ

ପାହାଡ଼ୁ ପାହାଡ଼େ କାହିଁ

କେବେ କୁଣ୍ଡା ଝାଡ଼ଇ କେବେ ଫରଫରା

ଅସରା ଆସଇ ଧାଇଁ ।

 

କେବେ ଝର୍ଝର କେବେ ମର୍ମର କେବେ

ଘର୍ଘର ମେଘ ରଡ଼ି

କେବେ ଜଳି ଉଠେ ଗଛ ପରବତ ଅଗେ

ଘୋର ଚଡ଼ଚଡ଼ି ପଡ଼ି ।

 

ଆଜି ବର୍ଷା ଆସିଚି ପରଜା ପଲ୍ଲୀ

ଦାଣ୍ଡେ ବହଇ ଝର

ଲାଉ ଜହ୍ନି କାକୁଡ଼ି କଖାରୁ ପତରେ

ଟପ ଟପ ଟପ ସ୍ୱର ।

 

ଚଷା ଲଙ୍ଗଳ ମାରେ ଟାକଳା ଫୁଟାଇ

ମୁଣ୍ଡେ ତଲାରି ତାର

 

 

ଝୁଲେ ଶିଆଳିପତର ତଲରା ପିଠିରେ

ନ ଭେଦଇ ଦେହେ ଜାଡ଼ ।

 

କାହିଁ ମଇ ତଳେ ଧାନ ଶୋଇ ଶୋଇ ପଡ଼େ

କ୍ଷୀରର ଲହରୀ ଛୁଟେ

ବୁଆ ସବୁଜେ ସବୁଜେ ଗୋଟି ଗୋଟି ହୋଇ

ଫେଣର ପଦୁଅଁ ଫୁଟେ ।

 

ନୂଆ କାଶର ଚଅଁରେ ହସିଉଠେ ହିଡ଼

ଗୀତ ଛାଡ଼ିଦିଏ ଚାଷୀ

ବାଏ ପରଜା କିଶୋର ଡୁଙ୍ଗୁଡ଼ୁଙ୍ଗା

ଦୂର ଡିଙ୍ଗରବାସୀ ।

 

କିଏ ବିଲ ବାଛୁ ବାଛୁ ଖେଳୁଆ ପକାଏ

କଳା ବୁଲିଆସେ ଧାନ

ଆଖି ପଡ଼ିଯିବ ବୋଲି ବିଲ ମଝିରେ କେ

ଥାପିଅଛି ହନୁମାନ ।

 

ପାଟି ପାଣି ହୋଇଯାଏ ପଛିମା ପବନେ

ପକାଏ ପତର ପାଗେ

କେତେ ସୁଖଦୁଃଖର କଥା ପଡ଼ି ଆହା

ପ୍ରାଣ ଉଶ୍ୱାସ ଲାଗେ ।

 

ପାଦ କେନ୍ଦରା ଦିଶେ ପାଣି ଖାଇ ଖାଇ

ଛେତା ଦିଶୁଥାଏ ହାତ

ଅତି ବ୍ୟସ୍ତ କରଇ ଗଣଗଣ ମାଛି

ପତକ କାମୁଡ଼ା ଘାତ ।

 

କିଏ ଖଣତିରେ ଖୋଳେ କନ୍ଦା କରବା

ତୋଳଇ କିଏ ବା ଶାଗ

ଏଇ ଜୀବନର ରଣେ କିଏ କେତେ ଜାଣେ

ଟାଣି ନେଇଯାଏ ବାଘ ।

 

ଏ ଯେ ପରଜାର ଗାଆଁ ଦରଛୁଆଁ ହୋଇ

ପାଣି ଗଳେ ଗଳ ଗଳ

ତହିଁ ମାଣ୍ଡିଆ ପେଜ ହାଣ୍ଡିଆ ଖାଇ

ମଣିଷ ହୋଇଛି ଜଡ଼ ।

 

ତହିଁ ସମାଜର ରୀତି ମାଟିର ମଣିଷେ

କରିଛି ଅଳସ, କ୍ଳୀବ

 

 

ତହିଁ ଅନ୍ଧାରେ ବୁକୁ ଗୁହାରି ଜଣାଏ

ନିରୁପାୟ ବଣଜୀବ ।

***

 

କରିବୁ ଆମେ ଦିଗ୍‍ବିଜୟ

 

ହୃଦୟେ ଭରା ସତ୍ୟ ବଳ କରିବୁ ଆମେ ଦିଗ୍‍ବିଜୟ

ଶହୀଦ୍‍ ବୀର ସନ୍ତାନର ଚିତ୍ତେ ନାହିଁ ମୃତ୍ୟୁ-ଭୟ ।

 

ଝଞ୍ଜା ବାଉ ମୃତ୍ୟୁ-ଭେରୀ ଦିଗ୍‍ବଳୟ ଅନ୍ଧକାରେ

ଲଞ୍ଜା ଗାଉ ରୁଦ୍ର ଗୀତି ରକ୍ତ ଢାଳି ଖଡ଼୍‍ଗ-ଧାରେ ।

 

ଗର୍ଜ୍ଜି ଆସୁ ବିଘ୍ନମେଘ ତର୍ଜ୍ଜି ଆସୁ ବଜ୍ରରାଜି

ଦୁର୍ଦ୍ଦିନର ଅନ୍ଧକାରେ ନିରାଶେ ନାହିଁ ପଡ଼ିବା ଭାଜି ।

 

ଇସ୍ପାତ ଯେ କରିଚୁ ମନ ନ ଜାଣୁ କିସ ମୃତ୍ୟୁ-ଭୟ

ସତ୍ୟ ବଳେ ସାହସ ବଳେ କରିବୁ ଆମେ ଦିଗ୍‍ବିଜୟ ।

 

ସିନ୍ଧୁଜଳ ବିଭାଗ କରି ଚାଲିବ ଆମ ବୋଇତ ଭେଳା

ଚନ୍ଦ୍ରଲୋକେ ଉପନିବେଶ ରଚିବ ଉଡ଼ାଜାହାଜ ମେଳା ।

 

ଶତ୍ରୁକୁଳ ଦୁର୍ଗମାଳ ଲଙ୍ଘିଯିବେ ସୈନ୍ୟବଳ

ଦୁର୍ଜ୍ଜୟ ଯେ ଦୁର୍ମଦ ଯେ ଚାପିବ ତାରେ ଚରଣ ତଳ ।

 

 

 

ଅଗ୍ନି ତେଜେ ଲେଖିବୁ ଜୟ ନିର୍ଭୀକତା ଲେଖନୀ ଚାଳି

କର୍ମ ଦେହେ ବର୍ମସମ କର୍ମେ ଯିବୁ ଜୀବନ ଢାଳି ।

 

ଶହୀଦ୍‍ ବୀର ସନ୍ତାନର ଚିତ୍ତେ ନାହିଁ ମୃତ୍ୟୁ-ଭୟ

ହୃଦୟେ ଭରା ଦିବ୍ୟ ବଳ କରିବୁ ଆମେ ଦିଗ୍‍ବିଜୟ ।

 

କଳାର ବଳେ ଉତ୍କଳୀୟ ହୋଇଛି ଚିର ବିଶ୍ୱଜୟୀ

ଏଥର ଆମେ ଦେଖାଇଦେବୁ ବିଜ୍ଞାନର ବୁଦ୍ଧି ଛଇ ।

 

ଚିତ୍ରମାଳେ ଛବିଳ କରିଦେବୁ ହେ ଆମେ ନିଖିଳ ଧରା

ବାଣୀର ବୀଣା କ୍ୱଣନେ ଦେବୁ ଖସାଇ ନୀଳ ଆକାଶ ତରା ।

 

କେତେ ଯେ ଗୀତା ଲେଖିବୁ ଆମେ ଦାର୍ଶନିକ ବୁଦ୍ଧି ବଳେ

ସିଦ୍ଧି ପଛେ ଧାଇଁବ ଆମ ସାଧନା ଯୋଗ ମନ୍ତ୍ର ଫଳେ ।

 

ବିଦ୍ୟା ମହା ଅସ୍ତ୍ରବଳେ କରିବୁ ଆମେ ଧରଣୀ ଜୟ

ଗଣ୍ୟ ହେବୁ ଧନ୍ୟ ହେବୁ ପୁଣ୍ୟ ଆଶା ଭାରତମୟ ।

 

ଶିଳ୍ପୀ ଆମ କଳ୍ପିଯିବେ କର୍ମୀ ଆମ କରିବେ କାମ

ବିଶ୍ୱ ପ୍ରେମେ ଭୁଲିବୁ ନାହିଁ ନିଃସ୍ୱ ଆମ ଜନନୀ ନାମ ।

 

ଅରୁଣ ପରି ତରୁଣ ଦଳେ ଉଇଁବେ ନେତା ଜାଗିବେ କବି

ବାକ୍ୟେ ବୀର କର୍ମେ ବୀର ସ୍ୱଦେଶ ପ୍ରାଣ ସୁବିପ୍ଳବୀ ।

 

ଅତୀତ ସୁନା ଇଷ୍ଟକରେ ନିଷ୍ଠାବଳେ ଗଢ଼ିବୁ ଦେଶ

ଦୁଃଖ ଆମ ବନ୍ଧୁ ସାଥୀ ସଙ୍ଗୀ ରଣ-ଯାତନା-କ୍ଳେଶ ।

 

ଏହି ଉଷାରେ ଭକ୍ତିମୟ ଚିତ୍ତେ ଜାଗେ ଶକ୍ତିଚୟ

ସାଧନା ବଳେ ସୁକୌଶଳେ କରିବୁ ଆମେ ଦିଗ୍‍ବିଜୟ ।

***

 

ଉତ୍କଳମଣି

 

ତୁମେ ଦି’କୋଟି ଆଖିର ଲୁହେ ଫୁଟିଥିଲ ରକ୍ତ କମଳ ସମ,

ତୁମେ ଦି’କୋଟି ବୁକୁରେ ରକ୍ତେ ଲେଖିଲ ‘ଭାରତ ଜନନୀ ମମ’

 

ତୁମେ ମହା ଜାଗରଣ ଜାଗର ଜାଳିଲ ମରମେ ଅଗ୍ରଗାମୀ,

ତୁମେ ସୈନିକଗଣ ଚାଳିନେଲ ରଣେ ପ୍ରଗତି-ମୁକ୍ତିକାମୀ ।

 

ତୁମ ଅଶ୍ରୁ ସଜଳ ନୟନେ ଫୁଟିଲା ଦୀନ-କଙ୍କାଳ ଛବି,

ତୁମେ ଉତ୍କଳଖଣି ଉଜ୍ଜ୍ୱଳମଣି ଅନ୍ଧାରନାଶୀ ରବି ।

 

ଯହିଁ ଭୋକି ନିଃଶ୍ୱାସେ ହୁତାଶନ ଢେଉ ଖେଳଇ କୁଟୀର ତଳେ,

ଯହିଁ ରୋଗୀ ହୃଦୟର ଯନ୍ତ୍ରଣା ଘୋର ପାପ ମନ୍ତ୍ରଣା କରେ ।

 

ଯହିଁ ନିରାଶ ଉଦାସ ଅନ୍ତରେ ଘୋର ଅନ୍ଧାର ଘୋଟିଆସେ,

ଯହିଁ ଅଭାବ ନିରସ ନୟନେ ଶୂନ୍ୟ ବିଶ୍ୱମୂରିତ ଭାସେ ।

 

ତହିଁ ତୁମେ ଦେବଦୂତ ଆସ ଅଦ୍ଭୁତ ନାଶ ହୃଦୟର ପ୍ରାସ,

ତୁମେ ଦୁଃଖର ସାଥୀ ଦୁର୍ଦ୍ଦିନରାତି ବିପଦେ ବିପଦେ ଆସ ।

 

 

 

ଆସ ପ୍ରଳୟକନ୍ୟା ବନ୍ୟା-ମଥିତ ଦୀନ-କଙ୍କାଳ ଘରେ,

ଆସ ମଳିନବସନା କୃଷାଣକିଶୋରୀ ବିକଳ ଅଶ୍ରୁଜଳେ ।

 

ଆସ ତନ୍ୱୀ ତରୁଣୀ ଲଜ୍ଜା ବାରଣେ କରୁଣ ନୟନ ପଥେ,

ଆସ ଲାଞ୍ଛିତ ଦୀନ ଆହ୍ୱାନେ ତୁମେ ଦୃପ୍ତ ଝଟିକା ରଥେ ।

 

ଆସ ସର୍ବହରାର ସପନେ ସପନେ ବେଦନା-ଦଗ୍‍ଧ-ମନେ,

ଖେଳ ଅଗଣିତ ଢେଉ ଅନ୍ତରେ ସୁନା ଚନ୍ଦ୍ରମା ତୁମେ ଜଣେ ।

 

ଯହିଁ ଧନ ଗଉରବେ ଦାନବ ଦିଅଇ ମାନବରେ ଅପମାନ,

ଯହିଁ ମାନବେ ମାନବ ନ ଛୁଇଁ କରଇ ବିଶ୍ୱଧରମେ ସାନ ।

 

ଯହିଁ ଶାସକ ଉଡ଼ାଏ ଶୋଷକ ରକ୍ତ କେତନ ଗର୍ବ ଭରେ,

ଯହିଁ ଜାତି ସମ୍ମାନ କ୍ଷୁଣ୍ଣ ବିଦେଶୀ ଇସ୍ପାତ ଚକ ତଳେ ।

 

ତହିଁ ପାଞ୍ଚଜନ୍ୟ ଗର୍ଜ୍ଜଇ ତବ ଘୋର ବିପ୍ଳବ ଗାନ,

ତହିଁ ଚାଳ ଉତ୍କଳ-ଗୌରବ ତବ ଉଦ୍‍ବେଳ ଅଭିଯାନ ।

 

ତୁମେ ଅପମାନ ଦେଲ ସ୍ୱାର୍ଥରେ ପରମାର୍ଥର ଦରବାରେ,

ତୁମେ ମିଶାଇଦେଲ ହେ ସକଳ ହୃଦୟ ଉଷ୍ମ ଲୋତକ ଧାରେ ।

 

ତୁମେ ଦୁଆରେ ଦୁଆରେ ଚମକାଇ ଦେଇ ଜନ୍ମଭୂମିର ଡାକ,

ବୀର ଗର୍ଜ୍ଜିଲେ ଘୋର ଝଞ୍ଜାରେ ଯଥା ଦୁର୍ମ୍ମଦ ବଇଶାଖ ।

 

ତୁମେ ଫକୀର ଅଙ୍ଗେ ଅମୀର ହୃଦୟ ଉଦୟ ରଶ୍ମିସମ,

ଆହେ କର୍ମର କବି ଉତ୍କଳ-ରବି ଜାତି-ଗୌରବ ମମ

 

ଆଜି ସ୍ୱରାଜ କେତନ ଉଡ଼େ ଫରଫର ସଫଳ ସ୍ୱପ୍ନ ତବ,

ମେଘ ମନ୍ଦ୍ର ନିନାଦେ ନିନାଦେ ଜାଗଇ ଉଚ୍ଛ୍ୱାସ ଅଭିନବ ।

 

ଆଜି ତଡ଼ିତ ଜଡ଼ିତ ସ୍ପନ୍ଦନେ କିଆଁ ଅଶ୍ରୁ ଆସାର ଧାରା,

ସତେ ଭାଗ ଭାଗ ହେଲା ଭାରତ ବୋଲି କି କାନ୍ଦ ଜାତୀୟ-ତାରା ?

 

ତୁମେ ଆସିବ କି ସତେ ଏକମନ ହେଲେ ହିନ୍ଦୁ ମୁସଲମାନ ?

ଏବେ ଶେଷ ହୋଇନି କି ଉତ୍କଳମଣି ମୁକ୍ତିର ଅଭିଯାନ ?

 

ଦେଖି ଛିନ୍ନମସ୍ତା ରକ୍ତଧାରା କି ହୃଦୟ ପଡ଼ଇ ଭାଜି ?

ସତେ ଡୁଡ଼ୁମାଜନନୀ ବଳିଦାନେ ଆସ ମୁକ୍ତିସେନା କି ସାଜି ?

 

ତୁମେ ଆସ ହୀରାକୁଦ ତଡ଼ିତ ଛନ୍ଦେ ଜାତି ବୈଭବ ହେରି,

ଆଜି ଦୁଇ କୋଟି ମନ ଏକ କରିଦିଅ ବଜାଇ ବିଜୟ-ଭେରୀ ।

 

ବୀର ମନ୍ଦ୍ର ନିନାଦେ ଚନ୍ଦ୍ରାନନରୁ ତନ୍ଦ୍ରା ପଡ଼ୁ ହେ ଭାଜି,

ବସୁ ବିଶ୍ୱ ଆସନେ ନିଃସ୍ୱା ପାଷାଣୀ ଜନ୍ମଭୂମି ମୋ ଆଜି ।

***

 

ଚନ୍ଦ୍ରଚୋର ରାୟଗୁରୁ

 

ଗଜପତି ରାଜଧାନୀ ପୁଣ୍ୟ ନୀଳାଚଳ

ଉଜ୍ଜ୍ୱଳ କିରଣେ ହସେ ଐଶ୍ୱର୍ଯ୍ୟ ପାଗଳ ।

 

ରାଜପଥ ଯାତ୍ରୀଭରା, ତର୍କ କୋଳାହଳେ

ପୂରିଉଠେ ରାଜସଭା, ଉପବୀତ ଝଳେ ।

 

ଜ୍ୟୋତିର୍ମୟ ଅଙ୍ଗେ, ମଣିମଣ୍ଡିତ କୁଣ୍ଡଳ

ଗଣ୍ଡେ ଖେଳେ ସ୍ନିଗ୍‍ଧ ଜ୍ୟୋତି ଝଳି ରବିକର;

 

ଭୁରୁ ତଟେ ଘୋଟେ ନିଦ୍ରା, ତନ୍ଦ୍ରା ଅପଘନେ

ଉତ୍ତେଜିତ ମନ ରକ୍ତ ଉଗାରେ ନୟନେ

 

ରାୟଗୁରୁ

 

ନିଶା ଭୋଳେ ଟଳମଳ ପାଦ

ଉଭା ହେଲେ ସଭା ମଧ୍ୟେ ନ ଗଣି ପ୍ରମାଦ ।

 

ବିଦୁଷ ଦୁର୍ଦ୍ଦଶା ଦେଖି ଉତ୍କଳର ସାଇଁ

ରାୟଗୁରୁ ଚିତ୍ତ ସ୍ଥିର ଅଛି କିବା ନାହିଁ

 

 

 

ପୁଚ୍ଛିଲେ ସାମାନ୍ୟ ପ୍ରଶ୍ନ, ‘‘କିସ ତିଥି ଆଜି’’ ?

ଆକାଶେ ରାଜିବେ ମାତ୍ର ଆଜି ତାରାରାଜି

 

ପୂର୍ଣ୍ଣତମ ଜ୍ୟୋତି ଧରି, ଅମାବାସ୍ୟା ତିଥି

ନ ହେବେ ଆକାଶ ପୁରେ ଶଶାଙ୍କ ଅତିଥି

 

ଉଛୁଳିଲା ରାଜସଭା ହାସ୍ୟ କୋଳାହଳେ

ରାୟଗୁରୁ ନତମୁଖେ ରହିଲେ ନିଶ୍ଚଳେ ।

 

ରାଜା

 

ନୁହେଁ ବ୍ୟଙ୍ଗ ରଙ୍ଗ ଏ ଯେ ! ହେବ ମୁଣ୍ଡକାଟ

କଥା ଆଉ କାର୍ଯ୍ୟ ମଧ୍ୟେ ଘଟିଲେ ବିଭ୍ରାଟ ।

 

ପାଟଯୋଷୀ

 

ଚଣ୍ଡାଳୁ ପଣ୍ଡିତ ହାୟ ହୀନ ଦଣ୍ଡକରେ

ରାଜକୋପ ଭୂମିକମ୍ପ ଏକା ଶକ୍ତି ଧରେ ।

 

ଦକ୍ଷିଣ କବାଟ

 

ବୃଦ୍ଧ ଏ ବ୍ରାହ୍ମଣ ରାଜକ୍ରୋଧ ଲକ୍ଷ୍ୟସ୍ଥଳ ।

କି ଲାଗି ଭକ୍ଷିଲେ ହାୟ ତକ୍ଷକ ଗରଳ ?

 

କବିଚନ୍ଦ୍ର

 

ଗର୍ବ ପର୍ବତର ଶୃଙ୍ଗ ଖର୍ବ ହୋଇଯାଉ

ରୌରବ ପରବ ଚନ୍ଦ୍ର ଗୌରବ ନ ପାଉ ।

 

ମୂଢ଼ ଏ ପାତିଛି ଏଥି ଦୃଢ଼ ସିଂହାସନ

କେ ଦେଖେ କଳଙ୍କୀ ଶଶୀ ଉଇଁଲେ ତପନ ?

 

ସାମନ୍ତରାୟ

 

ଏ ସଭାର ଗଭାମଣି ହେବ ଭୂଲୁଣ୍ଠିତ

ଶିରୀମୟ ପାରିଜାତ ଧୂଳି ଧୂସରିତ ?

 

ହସିବ ବିଜ୍ଞାନ ପୁରେ ଘୋର ଅହଙ୍କାର ?

ପରଶଂସା ସିଂହାସନେ ବସିବ ଧିକ୍କାର ?

 

ଜ୍ୟୋତିର୍ମ୍ମୟ ମୋତି ସ୍ଥାନ ନେବ କି ଶାମୂକ

ହେବ କି ସାମନ୍ତରାୟ ସବୁ ଦେଖି ମୂକ ?

 

ବାହିନୀପତି

 

ବିଲୟ ଲଭିଲେ ଏଇ ଉଦାର ହୃଦୟ

କାହିଁ ଆଶ୍ରା ନେବେ କହ ସୌଜନ୍ୟ, ବିନୟ ?

 

କବିଭୂଷଣ

 

ଏ ସଂସାରେ କେଉଁ ନର ଭ୍ରମ ନାହିଁ କରେ ?

କ୍ଷମା ବେଳେ କୁଣ୍ଠା କିମ୍ପା ବସେ କଣ୍ଠସ୍ଥଳେ ?

 

ରାୟଗୁରୁ

 

ହେ ନିଶା, ବସାଉ କେବେ ରାଜ ସିଂହାସନେ

ଏ ମହୀମଣ୍ଡଳେ କ୍ଷଣେ ଭ୍ରମେ ମନେ ମନେ ।

 

କେବେ କରୁ ଛତ୍ରପତି, କ୍ଷତ୍ରିକୁଳ-ରବି

କେବେ ବାଗ୍ମୀବର ଅବା କେବେ ମହାକବି ।

 

କେବେ ଭରୁ କଳହର କୋଳାହଳେ ମନ

କେବେ ମହା ଦାର୍ଶନିକ ଭାବନା ମଗନ ।

 

କି ଦରିଦ୍ର ଅଭିନୟ ଆତ୍ମ ସଂଯମର

କି ନିର୍ଲଜ୍ଜ ପ୍ରଦର୍ଶନୀ ପ୍ରାଣ ଦାରିଦ୍ର୍ୟର

 

ମୋ ଦୁର୍ଭାଗ୍ୟ ଫଳେ ହେଲା ?

ଧିକ୍‍ ଚତୁରତା ଧିକ୍‍ ବିଦ୍ୟାର୍ଜ୍ଜନ ଶକ୍ତିସାଧନ କ୍ଷମତା ।

 

ଏତେ ତଳେ ଆସେ ଖସି ପଣ୍ଡିତ ପ୍ରବର !

ଏତେ ଦୁର୍ବଳତା ଯେବେ ଦୃଢ଼ ଚରିତ୍ରର

 

ଦୋଷ ଲାଗି ତୁଚ୍ଛିବି ମୁଁ କିମ୍ପା ଆନଜନେ ?

ଆତ୍ମଗ୍ଳାନି ଭସ୍ମରାଶି ବର୍ଷଇ ମରମେ ।

 

ମୃତ୍ୟୁ ଲାଗି ନୁହେଁ ତିଳେ ହୃଦୟ କାତର

ଅପମାନ- ନରକର ଜ୍ୱଳନ୍ତ ଅନଳ

 

ତିଳେ ତିଳେ ଦହିବ ମୋ ଆତ୍ମା ମୃତ୍ୟୁ ପରେ

ସେଇ ଚିନ୍ତା ମନ୍ଥେ ମନ ଦୁର୍ଦ୍ଦାନ୍ତ କୋପରେ ।

 

ବିପଦ ! ଦ୍ୱିପଦେ ଆଜି ଦଳୁ ମୋ ସାଧନା

ବିଘ୍ନ ! ଲଙ୍ଘିଯାଉ ଦୁର୍ଦ୍ଦମ ପ୍ରେରଣା ।

 

ଶକ୍ତି ! ରକ୍ତେ ରକ୍ତେ କହେ ନୁହଇ ନିଷ୍ଫଳ

କଳ୍ପନା ଜଳ୍ପନା ଯେତେ ସାଧୁ ଅନ୍ତରର ।

 

କରିଥିବି ଯଦି କେବେ ସତ୍ୟର ସାଧନା

ମିଥ୍ୟା ହେବ ନାହିଁ ଯାହା ଭାଷିଚି ରସନା ।

 

ନିଦ୍ରିତ ନୟନ ବେନି ମୁଦ୍ରିତ କମଳ

ପଦ୍ମାସନେ ରାୟଗୁରୁ ନିଃଶ୍ୱାସ ନିଶ୍ଚଳ ।

 

ଲଲାଟେ ଚମକେ ରଶ୍ମି, ଜ୍ଞାନର କିରଣ

ଝଟକଇ ଗଣ୍ଡଦେଶେ, ଚିନ୍ତାର ଦର୍ପଣ

 

ଅଧରେ ବିକଶେ ସ୍ୱଚ୍ଛ ଜୋଛନା ମଞ୍ଜରୀ

ଜ୍ୟୋତିର ତରଙ୍ଗରାଶି ଅଙ୍ଗେ ଉଠେ ଝଳି ।

 

ଯୋଗ ରଶ୍ମିମୟ ହୃଦେ ସ୍ଫୁରିଲା ଏ ବାଣୀ

‘‘ମନବଳେ ସର୍ବ କର୍ମେ ସିଦ୍ଧ ହୁଏ ପ୍ରାଣୀ ।

 

ଗୁରୁଙ୍କର ଗୁରୁ ମନ ଦେବର ଦେବତା

ବିଜୟ ବରଇ ଦୃଢ଼ ହୃଦୟେ ସର୍ବଥା

 

ମନ ମୂଳେ ଭଗବାନ, ମନ ମୂଳେ ବିଶ୍ୱ

ସୁଦୃଢ଼ସଂକଳ୍ପହୀନ ଧନୀ ଅତି ନିଃସ୍ୱ ।

 

ମୂଢ଼ ତରେ ଦୃଢ଼ ତରେ ନୁହେଁ ଏହା ଆନ

ରାୟଗୁରୁ, ପୂର୍ଣ୍ଣ ଏବେ ତବ ମନସ୍କାମ ।’’

 

ରବି ଦେଲେ ଦେହ ଝାସ ମହୋଦଧି ଜଳେ

ଗୁରୁ ଅପମାନ ବ୍ୟଥା ବହି ହୃଦସ୍ଥଳେ ।

 

ତେଜିଲା ଗୋଧୂଳି ପୀତ ଅସ୍ତରାଗ ପଟ

ଅନ୍ଧକାରେ ଦୁଃଖଭାରେ ପ୍ରାଣ ହେଲା ଅନ୍ତ ।

 

ରାୟଗୁରୁ ଦୀପ୍ତଜ୍ଞାନ ତେଜ ଅନୁସରି

ଉଠିଲା ସନ୍ଧ୍ୟାର ତାରା-ରୂପାରଦୀପ ଜଳି ।

 

ଚାନ୍ଦପୂଜା ହୁଳହୁଳି କୋଳାହଳମୟ

ଉତ୍କଳ, ଆବେଗ ଭରା କୁମାରୀ ହୃଦୟ ।

 

ଉପବାସେ କ୍ଷୀଣପ୍ରାଣ, ସରଳା କୁମାରୀ

ଡାକୁଥାନ୍ତ କ୍ଷୁଧାକୁଳ ହୃଦୟ ବିଦାରି

 

ଚନ୍ଦ୍ରମାରେ, ଘୋଟି ଘୋଟି ଆସେ ଅନ୍ଧକାର

ନିରାଶ ହୃଦୟେ ଯେହ୍ନେ ଦୁର୍ଭାଗ୍ୟ ପ୍ରହାର ।

 

କୁମାର-ପୂର୍ଣ୍ଣିମା ! ନାହିଁ ଚାନ୍ଦର ଉଦୟ !

ହୃଦୟେ ହୃଦୟେ ଭରା ବିଷାଦ ବିସ୍ମୟ ।

 

ଫୁଟିବ ଫୁଟିବ ହୋଇ ନ ପାରଇ ଫୁଟି

କୁମୁଦ, ମେଲାଇ ଡେଣା ନ ପାରଇ ଉଠି

 

ଚକୋର, ମୁରୁକି ହସି ରହିଚି ଶିଉଳି

ନ ଆସେ ଜୋଛନା ମଞ୍ଜୁ ମଞ୍ଜରୀ ବଉଳି ।

 

ପ୍ରହରେକ ରାତି ସର୍ବ ଛାତି ଦକ ଦକ

ଜାଣିଲେ ସକଳ କଥା ଉତ୍କଳ ନାୟକ

 

‘‘ଅସମ୍ଭବ ସମ୍ଭବିଲା ଆଜି ଯୋଗ ବଳେ

ରାୟଗୁରୁ ଧନ୍ୟ ତୁମେ ଏ ମହୀ ମଣ୍ଡଳେ ।

 

ଧ୍ୱଂସ ହେବ ମୋ ସାମ୍ରାଜ୍ୟ ସୁବର୍ଣ୍ଣ ଭୂଷଣ

ଜୀର୍ଣ୍ଣ, ସିଂହାସନ ଚୂର୍ଣ୍ଣ ମୁକୁଟ ରତନ !

 

ରାଜସଭା ଆଡ଼ମ୍ୱର, ପ୍ରଳାପ ଆଟୋପ

କାଳ ହଳାହଳ ଶ୍ୱାସେ ଦିନେ ହେବ ଲୋପ ।

 

ବିରାଜିବ ଯୁଗେ ଯୁଗେ ତବ ମହାକୀର୍ତ୍ତି

ହୃଦେ ହୃଦେ ଜନମାଇ ସାଧନାର ପ୍ରୀତି ।’’

 

ବିଜେ ଗଜପତି ଝାଟିମାଟିର କୁଟୀରେ

‘‘ମୁହଁ ଏକ ରାଜ୍ୟ ରାଜା, ସମ୍ରାଟ ମହୀରେ

 

ରାୟଗୁରୁ, ଦେହେ ମାତ୍ର ମୁହିଁ ନରବର

ରାୟଗୁରୁ ମହାରାଜ ବିଜ୍ଞାନ ରାଜ୍ୟର ।’’

 

ବୋଲି ଆଲିଙ୍ଗିଲେ ରାଜା ପ୍ରସନ୍ନ ବଦନେ

କାଞ୍ଚନ ମଣ୍ଡିତ ହେଲା ପ୍ରତିଭା ରତନେ ।

 

ରାୟଗୁରୁ ମୃଦୁହାସ୍ୟେ ଜୋଛନା ଜୁଆର

ନୀଳନଭ ଧେନୁ ଚନ୍ଦ୍ରଚିରୁଁ କ୍ଷୀରଧାର

 

ଝରିଗଲା, ତରଳିଲା ଅନ୍ଧାର କ୍ଷଣକେ

କୋଟି ଶ୍ୱେତ କୁମୁଦ କି ଫୁଟିଗଲା ପଙ୍କେ

 

ଜୋତ୍ସ୍ନା ଯୋଗେ ! ହରିବୋଲ ହୁଳହୁଳିମୟ

ଶବଦେ ଶୁଭିଲା ‘ଜୟ ରାୟଗୁରୁ ଜୟ’

 

କୋଟି କୋଟି କଣ୍ଠେ, ଦେଇ ସଭା ଆଦି ଗାଦି

‘‘ଚନ୍ଦ୍ର ଚୋର ରାୟଗୁରୁ’’ ବିହିଲେ ଉପାଧି

 

ମହାରାଜା; କୀର୍ତ୍ତିପୂତ ସେ ନାମ ସ୍ମରଣେ

ଅଭିମାନ ଜାତ ହୁଏ ଉତ୍କଳୀୟ ମନେ ।

***

 

ପଲ୍ଲୀ ସଞ୍ଜ

 

 

ଧୂସର ଦୂର ଶଇଳ ମାଳେ

ହଜିଲେ ଦିନନାଥ

ବୁଲାଇ ଦେଲା ଲୋହିତ ତୂଳୀ

କେଉଁ ଅଦେଖା ହାତ ?

ଝରଇ ଶିରୀ ବଧୂଲୀ ରେଣୁ

କାକଳି କଳେ କଣ୍ଠ ବେଣୁ

ବଲ୍ଲୀମୟ ପଲ୍ଲୀପୁରେ ସୁନେଲୀ ଛାୟାପାତ ।

 

 

ଗୋଧୂଳି ଲେଖେ ବିଜୁଳି ରେଖା

ବାଦଲ ଧାରେ ଧାରେ

ବିଦେଶେ ପତି ଝରାଇ ମୋତି

ପଲ୍ଲୀ ବାଳା ଭାଳେ

ଅଧରେ ଥରା ବେଦନା ଗାର

 

 

ଅନଳ ମଣେ ଅଳଙ୍କାର

ଅଙ୍ଗ ଭାର, ମଳିନତାର ସଙ୍ଗୀ କରେ ତାରେ ।

 

 

ଲୋହିତ ଧୂଳି ବିତାନ ତଳେ

ଗୋପାଳ ବେଣୁ ତାନ

ଚଉରା ମୂଳେ ବୃଦ୍ଧା କିଏ

କରଇ ଯୋଗ ଧ୍ୟାନ ?

ସଞ୍ଜବତୀ କିଏ ସେ ଥୁଏ ?

ଶ୍ରୀମୁଖେ ଶିଖା ଆଲୁଅ ହୁଏ

ଅଶ୍ରୁଜଳେ ବିଧବା ଧୁଏ, ବଦନ ହୀନିମାନ ।

 

 

ଟାକଳା ମାରି ହଳିଆ ଏବେ

ଫେରଇ ଘେନି ହଳ

ଅନ୍ଧକାର କଳା କି ଦଳି

ବୋଳେ କେ ତର ତର ?

ଘୋଷେ କି ପକ୍ଷୀ ସଞ୍ଜ ଯଶେ

କଞ୍ଜ ସମ ତିମିର ରସେ

ଗୋଧୂଳି ମଣି ମଣ୍ଡେ ଏବେ ବାରୁଣୀ ସରୋବର ।

 

 

ତିମିର ଦ୍ରବ ବରଷେ ନଭ

ଗ୍ରାସଇ ଘନତର

ଅନ୍ଧତାର ଅନ୍ଧକାର

ପଲ୍ଲୀ ବୁକୁ ତଳ

ମୂକର ମୁଖେ ଫୁଟେନା କଥା

ମୁଖର ଅତି ନିର୍ଜୀବତା

ଅଶ୍ରୁଢ଼ାଳେ ଦୁର୍ବଳତା, ନିରୀହ ହାହାକାର ।

 

 

ପାତିଚି ଫାଶ ନିଷାଦ ନାଶ

ଶଶକ ଦଳ ଦଳ

ଗ୍ରାସଇ ରାହୁ ସମ ଯେ ସାହୁ

କୂଟେ ସେ ମହାବଳ

ଶୋଷଇ ଲହୁ ମୁଖୀ ସେ ମଶା

ଜୀବନେ ଖାଲି ଖେଳଇ ପଶା

ମକଦମାରେ ମକଦମ ସେ କରଇ ହରବର ।

 

 

ଶ୍ରୀ ଭାଗବତ ଟୁଙ୍ଗୀ ଘରୁ

ଉଠଇ ନାହିଁ ଦୁହା

କଚେରୀ ଘରେ ଆକାଶୁ ତୋଳେ

କାହାଣୀ କାନ କୁହା

ଘର ଘରକେ ପଶିଚି କଳି

ଏକତା ଦେବୀ ଶକତି ଦଳି

ଗରିବ ଲହୁ ଲୁହର ଧାରେ ପଲ୍ଲୀ ବୁକୁ ଧୁଆ ।

 

 

ସୁଦିନ ଉଷା ଆସିବ କେବେ

‘ଗଣ’ର ଜାଗରଣେ

ଦୁର୍ଦ୍ଦିନର ସଞ୍ଜ ଲୁଚି

ତିମିର ଆବରଣେ ?

ବାଜିବ କେବେ ପାଇକ ଭେରୀ ?

ଡାକିବ କେବେ ସାଗର ପରୀ ?

ନିଃସ୍ୱ ମାତା ବସିବ କେବେ ବିଶ୍ୱ ନିକେତନେ ?

***

 

ଶିବାଜିଙ୍କ ଗର୍ବ

 

ରାଷ୍ଟ୍ରପତି ଶିବାଜି ଦିନେ ହରଷେ କଲେ ଅବଧାନ

ଲକ୍ଷେ କୁଲି ମୂଲିଆ ମୁଖେ ଜୟ ଶିବାଜି ଜୟ ଗାନ ।

 

ଗର୍ବେ ବୁକୁ ଉଠିଲା ଫୁଲି ଭାବିଲେ ମୁହିଁ କେତେ ବଡ଼

ହଜାରେ ରାଜ ମୁକୁଟ ଚୁମେ ଆଜି ଏ ମୋର ପାଦତଳ ।

 

ଦିଗ୍‍ବିଜୟେ ଘୂରଇ କୋଟି ଖଡ଼୍‍ଗ ମୋର ଖରଶାଣ

ଛାୟା ମୋ ବୁଲେ ଦିଲ୍ଲୀପଥେ ମୋଗଲ୍‍ ରାଜା ମ୍ରିୟମାଣ ।

 

ଅନ୍ନ ଦିଏ ବସ୍ତ୍ର ଦିଏ କରୁଣା ମୋର ପୁରେ ପୁରେ

ଦୁର୍ଗ କାମେ ବ୍ୟସ୍ତ ଯେତେ କାମ୍‍କା ଏଇ ମଜ୍‍ଦୁରେ ।

 

ଶୌର୍ଯ୍ୟର ମୋ ସମ୍ପଦର ସେ ଲାଗି ଜୟ ଜୟ ଗାନ

ମରିବେ ଏଇ ଦୁର୍ଗ ଯଦି ନ କରେ ମୁହିଁ ନିରିମାଣ ।

 

ଏକାଳେ ଆସି ମିଳିଲେ କାହୁଁ ସୁସନ୍ନ୍ୟାସୀ ରାମଦାସ

ଚରଣେ ନମି ମନର କଥା କରିଲେ ରାଜା ପରକାଶ

 

 

 

ଗୁରୁଜି, ଦେଖ ଲକ୍ଷ ପୋଷେ ମୋହର ରାଜ ସରକାର

ଦୁର୍ଗ କାମ ବିହୁନେ କୁଲି ମରିବେ କରି ହାହାକାର ।

 

ସର୍ବନାଶୀ ଗର୍ବ କଥା ଗୁରୁଜି ଶୁଣି କଲେ କ୍ରୋଧ

ଭାବିଲେ ଏଇ କ୍ଷମତା ଧନ କରଇ ଜନେ ନିର୍ବୋଧ

 

ଧରି ସେ କୋଟି ଜୀବନ ଡୋରୀ ଖିଆଲେ ଟାଣେ ଅହରହ

କ୍ଷମତାର ଏ ଗର୍ବ ଅତି ଦୁଃସହରେ ଦୁଃସହ ।

 

ମନର କଥା ମନରେ ରଖି କରିଲେ ନାହିଁ ପରକାଶ

ଶିବାଜି ଆସ ଆସ ହେ ଏଣେ ଡାକିଲେ ଗୁରୁ ରାମଦାସ ।

 

ଏଇ ପଥର ଟେକ ତ ଦେଖି ? ତୋଳି ଦେଲେ ସେ ତୁଳା ପରି

ଚାଲିଲା ଡେଇଁ ବେଙ୍ଗଟିଏ ଚିର୍‍ ଚିରେଇ ଡରି ଡରି ।

 

ରାସ୍ତା ମାପି ଚାଲିଲା ଜିଆ, ଧାଇଁଲେ କେତେ ପୋକ ଯୋକ

ଦୁଃଖ ମନେ ଆମର ବସା ଭାଙ୍ଗିଦେଲା କେଉଁ ଲୋକ ?

 

ପୋଷିଚି ଏତେ ଜୀବନ କିଏ ଦେଖିଚ ଶିବ ସେଇ ହାତ ?

ଏଇ ଜୀବନ ତତ୍ତ୍ୱ ବୁଝି ଆସେ କି କେଉଁ ନରନାଥ ?

 

ଦୁର୍ଗର ସେ ଶ୍ରମିକ ନୁହେଁ, କିଂକର ବା ଦରବାରେ

ଶୁଣିଚ କେବେ ପୋକ କି ଯୋକ ମରିଚି ଘୋର ଅନାହାରେ ?

 

ଲକ୍ଷ କୋଟି କୀଟର ଲାଗି ଆହାର ରଖେ ଯେଉଁ ବିଧି

କରିଛି ସେଇ ତୁମକୁ ରାଜା ଅଗଣ ଜନ ପ୍ରତିନିଧି ।

 

ଖାଦ୍ୟ ତାର ଭଣ୍ଡାରୁ ଯେ କରୁଛ ତୁମେ ବିତରଣ

ଶସ୍ୟ ନାଶେ ଶିବାଜି କହିପାରିବ ପୋଷି କେତେ ଜଣ ?

 

ତୁମର ଏଇ ଦୁର୍ଗ କାମେ ମୂଲିଆ ଖଟେ ମୂଲ ପାଇଁ

ଶିବାଜି ରାଜ ସମ୍ରାଟର ପୋଷଣ କଥା ଉଠୁ ନାହିଁ ।

 

ମଜ୍‍ଦୁର୍‍ ଯେ ପକ୍ଷୀ ସମ ଉଡ଼ଇ ଯହିଁ ପଡ଼େ କାମ

ମରିବେ ସବୁ ସୃଷ୍ଟିକାରୀ ବିଧାତା ଯେବେ ହୁଏ ବାମ ।

 

ଗର୍ବ ମଥା ବାକ୍ୟ ବାଣେ ପଡ଼ିଲା ହୋଇ ଚୂନ୍‍ଚାନ୍‍

ଉପରେ ଚାହିଁ ଅଶ୍ରୁଆଖି ଶିବାଜି କହେ ‘‘ଭଗବାନ୍‍ !’’

***

 

ଶ୍ରମିକର ଭଗବାନ

 

ଅତି ସାଧାରଣ ଜାଣେ ନାହିଁ କିଛି ତଥ୍ୟ

ଡାକଇ ବିପଦେ

ସମ୍ପଦେ ଯାଇ ଭୁଲି

ବିପଦ ବନ୍ଧୁ, ସମ୍ପଦେ ତୁମେ

ପାଶେ ଆସ ନାହିଁ ବୋଲି ।

 

ଦୁଃଖ ଦୈନ୍ୟ ଢାଳି ଦେବା ଲାଗି

ମନ୍ଦିରେ ନାହିଁ ଯାଏ

କଣ୍ଠ ମୋହର କର୍କଶ

ତେଣୁ ସଙ୍ଗୀତ ନାହିଁ ଗାଏ ।

 

ସୃଜିଚ ସୂର୍ଯ୍ୟ ଚନ୍ଦ୍ର ତାରକା

ଦେଖାଏନା ତେଣୁ ବତୀ

ପାଦେ ପଡ଼ି କେବେ ଜଣାଏ ନାହିଁ ମୁଁ

ହେଉ ଲାଭ, ନୋହୁ କ୍ଷତି ।

 

ତୁମେ ଅଛ ଖାଲି ଜାଣେ ଏଇ ଟିକି ସତ୍ୟ

ଅତି ସାଧାରଣ ଜାଣେ ନାହିଁ କିଛି ତଥ୍ୟ ।

କାଠ କାଟି ମାଟି ବୋହି ଝାଟି ବୁଜି

ହାଡ଼ ଡାକେ କିଟି କିଟି

ବିଲ ବାଛୁ ବାଛୁ ବର୍ଷା ଆଘାତେ

ଫାଟି ଯାଏ ମୋର ପିଠି ।

 

ଧର୍ମ ଦେବତା ଗଡ଼ିଲେ ଫେରଇ

ବେଉଷଣ ସାରି ଘରେ

ହା ହୁତାଶ ହୋଇ ଉଦର ମୋହର ଜଳେ ।

 

କାମ ବେଳେ ମୁହିଁ ନିଜକୁ ତ ଭୁଲି ଯାଏ

ତୁମ କଥା କେବେ ଭାବିବାକୁ ମୋର

ଅବସର ନାହିଁ ଥାଏ ।

 

ନିଗାଡ଼ି ରକ୍ତ ଢାଳି ଦିଏ ନିତି

ଦେହ ମୋର ଛେଚି କୁଟି

ପିଲା ଝିଲା ଲାଗି ଅନ୍ନ ଦି ଓଳା

ଯୋଗାଡ଼ଇ ଦୁଇ ମୁଠି ।

 

ଖାଲି ବସୁଧାରେ ବାଧାରେ ମୁଁ ପଡ଼ିଯାଏ

କର୍ମର ଡାକ

 

 

ଧର୍ମର ଡାକ ବୋଲି

ହାଡ଼ ଚୂନା କରି ଦିନ ସାରା ଲାଗିଥାଏ ।

 

ଧରେ ନାହିଁ ମାଳି ଜପେ ନାହିଁ ତୁମ ନାମ

ଜାଣେ ହେ ବିଶ୍ୱକର୍ମା, ଅଳସେ ଘୃଣୁଥିବ ଭଗବାନ

ଶ୍ରମିକର ସାଥୀ ଜାଣେ ଏଇ ଟିକି ସତ୍ୟ

ବୁଝେନା ଶାସ୍ତ୍ର, ବୁଝେ ନାହିଁ କିଛି ତଥ୍ୟ ।

 

ସବୁବେଳେ କିଏ ଡାକିଲେ ତୁମକୁ

କ୍ରୋଧ ହେଉଥିବ ମନେ

ମୋହ ଖୋସାମତି ଶୁଣିବାକୁ ଖାଲି

ଜାଗିବ କି ପ୍ରତି କ୍ଷଣେ ?

 

ପଡ଼ିଛି ରୁଗ୍‍ଣ ହାହାକାରେ ପଥ ପାଶେ

ଗଡ଼ୁଛି ଭକ୍ତ ଧୂଳି ତଳେ ଉପବାସେ ।

 

କାହାରି ହୃଦୟେ ଦୟା ରୂପେ ହେବ ବିଜେ

ସେବକର ଭେକ ଧରିଯିବ ଅବା ନିଜେ ।

 

 

 

ଡାକଇ ବିକଳେ ଅଶ୍ରୁ ଝରାଇ

ଅତ୍ୟାଚାରିତ ପ୍ରଜା

ସବୁରି ଦୁଃଖ ଗୁହାରି ଶୁଣିବ

ଦୁନିଆର ଜଣେ ରଜା ।

 

ମୋ କଥା ଭାବିବା ଲାଗି ଦେବିନାହିଁ ଶ୍ରମ

କର୍ମ ଜୀବନ କର୍ମ ଧରମ

କର୍ମ ମୋ ନମୋନମଃ ।

 

ଅଜ୍ଞାନ ମୁହିଁ ଜାଣେ ନାହିଁ କିଛି ତଥ୍ୟ

ଅତି ସାଧାରଣ ଜାଣେ ଏଇ ଟିକି ସତ୍ୟ ।

***

 

ମହାତ୍ମା ତିଳକ

 

ନାହିଁ ଏକ ଉତ୍ତରୀୟ କଠିନ ଏ ଶଯ୍ୟା

ଶୋଇବାକୁ ହେବ ଯହିଁ ଶ୍ରମିକର ଲଜ୍ଜା ।

 

ହେ ତିଳକ, ଭାରତର ଗଉରବ ଧନ

ଏ କଣ୍ଟକ ଶଯ୍ୟା ପରେ କର କି ଶୟନ ?

 

କହିଲା କେ ଆଗନ୍ତୁକ; ହସ୍ତେ ଧନ ନାହିଁ

ମୂଲ୍ୟବାନ୍‍ ଉତ୍ତରୀୟ କିଣିବି ମୁଁ କାହିଁ ?

 

କହିଲେ ତିଳକ ହସି; ‘‘ଆହେ ମହାମାନ୍ୟ

ଉତ୍ତରୀୟ ଲାଗି ଅର୍ଥ ପଡ଼େ ଯେ ସାମାନ୍ୟ !’’

 

‘‘ସେ ସାମାନ୍ୟେ କିଣିବି ମୁଁ ଅମୂଲ୍ୟ ପୁସ୍ତକ’’

କହେ ଆଗନ୍ତୁକ ‘‘ତୁମେ ମହାତ୍ମା ତିଳକ ।

 

ଭାରତର ମନେ ତେଣୁ କର ରାଜପଣ

ଭୂଷଣବିହୀନ ହୋଇ ନିଖିଳ ଭୂଷଣ ।’’

***

 

ଲଙ୍କା ବିଜୟୀ

 

ଆପଣା ପାଦେ ହୋଇବି ଛିଡ଼ା ହୃଦୟେ ଅଛି ଶକ୍ତି,

ମରମ ତଳେ ବିଶ୍ୱାସ ମୋ କରମେ ଅନୁରକ୍ତି ।

 

ଖଡ଼୍‍ଗ କରେ, ବକ୍ଷେ ମୋର ସାହସ ବୀର ବର୍ମ,

କ୍ଷତ୍ରି ଲାଗି କି ଲୋଡ଼ା ଆଉ ? ସାଧିବି ସବୁ କର୍ମ ।

 

ଦୁର୍ଗମ ମୋ ଜୀବନ ପଥ, ବିପଦ ହାତେ ବନ୍ଦୀ,

ଝଞ୍ଜାରେ ମୁଁ ଲଗାମ୍‍ ଦେବି କରିବି ନାହିଁ ସନ୍ଧି ।

 

ସିଂହପୁର ସିଂହପିଲା ମନେ ମୋ ନାହିଁ ଶଙ୍କା

କର୍ଣ୍ଣଧାର, ବୋଇତ ବାହ, ଯିବାରେ ଯିବା ଲଙ୍କା ।

 

ସହିବି ନାହିଁ କୋୟର ପରି ରାଜାର ଯେତେ ମର୍ଜି,

ନୂତନ ଭାବେ ସିଂହାସନେ କ୍ଷମତା ଉଠେ ଗର୍ଜି ।

 

ସତ୍ୟ କଥା କହିଲେ ମିଳେ ମଣିଷ ଯହିଁ ଯନ୍ତା,

ସେ ରାଜ୍ୟରେ ଯୁବରାଜ ମୁଁ ଧିକ୍‍ ଧିକ୍‍ ମୋ ପନ୍ଥା ।

 

 

 

ଶାସନ ଯହିଁ ଶ୍ମଶାନେ ଚଳେ ମନ୍ଦମତି ମନ୍ତ୍ରେ,

ଠାବ ନାହିଁରେ ସିଂହଲାଗି ସେହି ଖିଆଲୀ ତନ୍ତ୍ରେ ।

 

ଅଦେଖା ହାତ ଡାକଇ ଠାରି ମନରେ ନାହିଁ ଶଙ୍କା,

ବୋଇତିଆଳ, ବୋଇତ ବାହ ଯିବାରେ ଯିବା ଲଙ୍କା ।

 

ବିପଥେ ମୁହିଁ କହିଲେ ରାଜା ଯେ କଥା ଅତି ସତ୍ୟ,

ପନ୍ଥା ଧରି ପ୍ରତିଭାଶାଳୀ ଲଭଇ କେଉଁ ତଥ୍ୟ ?

 

ମୁକ୍ତି ଯହିଁ ଥାଏ ନା ତହିଁ ହେବାରେ ନାହିଁ ଛନ୍ଦା,

ମରଣ ହାତେ ଜୀବନଟିକି ଦେବାରେ ପଛେ ବନ୍ଧା ।

 

ବନ୍ଦାଏନା ସାଧବ ବୋହୂ, ବନ୍ଦର ଏ ସୁପ୍ତ,

ଊର୍ମିମାଳେ ସାଗର ବରେ ମୁକ୍ତି ବୁଝେ ମୁକ୍ତ ।

 

ଫିଙ୍ଗିଦେବା ବିପଦ ପଦେ ଜୀବନ ନାହିଁ ଶଙ୍କା,

ଖୋଲରେ ପାଲ କର୍ଣ୍ଣଧାର ଯିବାରେ ଯିବା ଲଙ୍କା ।

 

ତୋଫାନ ଉଠେ କୃଷ୍ଣ ମେଘେ ବୋଇତ କରେ ନୃତ୍ୟ,

ଲହରୀ ରଥେ ପ୍ରଳୟ କହେ ଦେଖିବ କି ମୋ କୃତ୍ୟ ?

 

ଯାତ୍ରୀଦଳ ଅଧରେ ତୃଷା, ଉଦରେ ନାହିଁ ଅନ୍ନ,

ସାହସ ମନୁଁ ପଡ଼ିଛି ଖସି ଝାଉଁଳି ଅଛି ବର୍ଣ୍ଣ ।

 

ବିଜୟ ମନେ ବିଜୟୀ ତେଜ ଆଶାର ନାହିଁ ଅନ୍ତ,

ସୂର୍ଯ୍ୟ ପରି ଉଦିତ ହେବା ସୂର୍ଯ୍ୟପରି ଅସ୍ତ ।

 

କୋଇଲି କହେ ପାହିଲା ରାତି ନାହିଁରେ ଆଉ ଶଙ୍କା,

ବିଜୟ କହେ ଝଟକେ ଦେଖ କନକମୟୀ ଲଙ୍କା ।

 

ବୋଇତୁଁ ଆସି ହର୍ଷେ କହେ ଯାତ୍ରୀ ‘‘ଜୟ ଶାନ୍ତି’’,

ହଠାତ୍‍ ମନୁଁ ପଡ଼ଇ ଖସି ଯାତ୍ରାର ଯେ ଶ୍ରାନ୍ତି ।

 

ଯୁଦ୍ଧେ ଆସେ ଯକ୍ଷ ସେନା ବିଜୟ କଲେ ଲକ୍ଷ୍ୟ,

ତୂର୍ଯ୍ୟରାଜି ଗର୍ଜ୍ଜନରେ ଉଠଇ ଫୁଲି ବକ୍ଷ ।

 

ଜୀବନ ଲାଗି ଭୟାଳୁ ସିନା ବିପଦେ ଦିଏ ଭଙ୍ଗ,

ତିଳେକ ପଛେ ଘୁଞ୍ଚଇ କି ରଣ ଯେ ମଣେ ରଙ୍ଗ ?

 

ନିପାତ କରି ଯକ୍ଷ ସେନା ବିଜୟ ବାଏ ଢକ୍‍କା,

ଜୟ ହେ ଜୟ ସମ୍ରାଟ ହେ ବନ୍ଦେ ପଦେ ଲଙ୍କା ।

***

 

ସେନାପତି ବିଷ୍ଣୁ ଶର୍ମା

 

ଶତ୍ରୁ ଯାଇଛି ସଂଗ୍ରାମେ ହାରି

ହାରି ପଳାଇଛି

ପଳାଇଛି ଘେନି ପ୍ରାଣ

ରଣ ଅଙ୍ଗନେ ଫିଙ୍ଗିଯାଇଛି

ଅସ୍ତ୍ର ଶସ୍ତ୍ର

ଇଜ୍ଜତ ସମ୍ମାନ ।

 

ଦେଇଛି ସୈନ୍ୟ ରକ୍ତ ନଦୀରେ

ଫକରୁଲ୍‍ ଖାଁ

ଭସାଇ ନିଜର ଶବ

ବୁଝିଛି ଶତ୍ରୁ, ସିଂହ ଦେଶର

ସୀମା ସ୍ପର୍ଶିଲେ

ମିଳେ ଏଇ ପରାଭବ ।

 

ନିର୍ଘାତ ଆମ ଖଡ଼୍ଗ ଆଘାତେ

କରିଅଛି ପଣ

ମାଡ଼ିବ ନାହିଁ ଏ ମାଟି

ବିଷ୍ଣୁ ଶର୍ମା, ତୁମ କଉଶଳେ

ତୁମରି ଶୌର୍ଯ୍ୟେ

ରକ୍ଷା ପାଇଛି ଜାତି ।

 

ହେ ଦେଶଗର୍ବ, ରକ୍ଷା କରିଛ

ଶକ୍ତି ସାହସେ

ଜନ୍ମଭୂମିର ମାନ

ଗଜପତି ରାଜସମ୍ରାଟ ମୁହିଁ

ଅନଙ୍ଗଭୀମ

ଦେବି ବୀର ସମ୍ମାନ ।

 

ଧନ ମାନ ଅବା ରାଜ୍ୟ ଚାହଁ ଯା

ଦେବ ସେନାପତି,

କୁଣ୍ଠା ନାହିଁ ମୋ ମନେ

ବୀର ସମ୍ମାନ ଥାଏ ଯେଉଁ ଦେଶେ

ସୁଦୁରୁଁ ବଇରୀ

ଖଡ଼୍ଗ ତାହାରେ ନମେ ।

 

କହେ ସେନାପତି, ମହାରାଜ, ମୁହିଁ

ଚାହେଁନାହିଁ ଧନ

ନୁହେଁ ପଦ ପ୍ରତ୍ୟାଶୀ

ଜନ୍ମଭୂମିର ସେବା ମୁଁ କରିଛି

ସେବା ମୁଁ କରିବି

ସାଧାରଣ ଦେଶବାସୀ ।

 

ଜାତି ସମ୍ପଦେ ସମ୍ପଦ ମୋର

ଜାତି ଗଉରବେ

ଗଉରବ ମୋର ବଢ଼େ

ପୁରସ୍କାର ମୁଁ ପାଇଛି ଶତ୍ରୁ-

ଶୋଣିତର ଧାରେ

ଆମ ଜୟ ହର୍ଷରେ ।

 

ଥରି ଯାଇଅଛି ଯବନ ରାଜ୍ୟ

ଆମରି ଖଡ଼୍‍ଗ

ଝନତ୍‍ ଝନତ୍‍ ନାଦେ

ମହାରାଜ, ଆଜି ପୂରିଉଠେ ଛାତି

ସ୍ୱାଧୀନ ଦେଶର

ଜୟ ଜୟ ଆହ୍ଲାଦେ ।

 

ଚାହେଁ ନାହିଁ ଧନ ପଦ ଗୌରବ

ଦେଶ ବତ୍ସଳ

ଆହେ ଭାରତର ଶଶୀ

ଦେଶ ସ୍ୱାଧୀନତା ରକ୍ଷଣେ ଦିଅ

ମହାରାଜ, ମୋର

ହସ୍ତେ ଗୋଟିଏ ଅସି ।

***

 

କଳିଆ ନାରଦ

 

ମାମଲତପଣେ ତା ସମାନେ କେହି ନାହାନ୍ତି

ସବୁ ନିଶାପକୁ ‘ଭଲ ଲୋକ’ ବିଶି ମାହାନ୍ତି ।

 

ଛିଣ୍ଡାଇ ଦିଅଇ ଯେତେକ ଅଡ଼ୁଆ ଲଟରା

ଯେତେ ଗଣ୍ଡଗୋଳ ସମ୍ପତ୍ତି ବଣ୍ଟରା କୁଣ୍ଟରା ।

 

କଥା କହୁଥିଲେ ବାଜଇ ତ ନାହିଁ ବାଟୁଳି

ନଖରେ ଛିଣ୍ଡାଏ କାଟେ ନାହିଁ ଯହିଁ କଟୁରି

 

କିଏ ଡାଳେ ଗଲେ ଯାଏ ସେ ପତରେ ପତରେ

ସଭାରେ ସ୍ୱରକୁ ପକାଏ ସେ ନିଜ ଘତରେ ।

 

କହି ବୁଲେ ମୋର ପର ଉପକାର ବେଉସା

କିଏ ଡାକେ ମାମୁଁ କିଏ କକା ଅବା ମଉସା ।

 

ହାତରେ କୋଥଳି ମୁଖରେ କରଜ ହିସାବ

ମାଳି ଗଡ଼ା ଏବେ ମାଲିମକଦମା ଜବାବ ।

 

 

 

ବଡ଼ ବଇରାଗୀ, କହେ ମିଛମାୟା ସଂସାର

କିଏ କିସ ନେବ ? ଲାଗିଛି ତ ଖେଳ ଅସାର ।

 

ଗାଆଁ ଗୋଟାକ ତ ପଶିଗଲା ଜୁଇ ଗାତରେ

ଅତଳ ବିପଦେ ପ୍ରଭୁ ପଦ ଏକା କାତରେ ।

 

ଅଷ୍ଟପ୍ରହରୀରେ ଆଗୁସାର ହୋଇ ବାହାର

ନାମ ସଂକୀର୍ତ୍ତନେ ଚେତା ବୁଡ଼ିଯାଏ ତାହାର ।

 

ଦେହଯାକ ଛପା ହରି ନାମାବଳୀ ତିଳକ

ଶୁଖିଲାରେ ବସି ବାଳିଆ ପିଟଇ କାଳକ ।

 

ମାଣେ ଜମି ନାହିଁ ପୁରୁଣା ଖାଏ ସେ ଗାଆଁରେ

ଦୁଇଟି ଚଢ଼େଇ ମାରେ ସେ ଗୋଟିଏ ପାହାରେ ।

 

ବିଧବାର ଧନ କରିଥାଏ ହାତ ପଇଠି

ଚୋର ଖଣ୍ଟ ନେବେ ଜମା ରହିଥାଉ ଏଇଠି ।

 

ଯେଉଁ ପାଖେ ଟଙ୍କା ସେଇପଟେ ତଳେ ବିଚାର

ଟଙ୍କାର ଓଜନେ ମଣିଷ ଅକଲ ନାଚାର ।

 

ହାତୀ ଗଳିଯାଏ ପିମ୍ପୁଡ଼ି ଗଳେନା ନ୍ୟାୟରେ

ଉଡ଼େ ଚୁଲି ଚାଳ ଗୋଟିଏ ଗୋଟିଏ ରାୟରେ ।

 

ଅକଶ ରଖିଲେ ଅଳପକେ ହୁଏ ବାସନ୍ଦ

ବେଠି ଭେଟି ଦେଲେ ମିଳେ ପୁଣି ନୂଆ ସନନ୍ଦ ।

 

କାହା ଭାତ ମାରି ହାତ ମାରି କାହା ପିଠିରେ

ଚଳାଇ ନିଅଇ ଗାଆଁ ସାରା ନିଜ ନୀତିରେ ।

 

ମୁଣ୍ଡେ ହାତ ବୋଳି ନିମିତ୍ୟ ନିଅଇ ଚଳାଇ

‘ବୁଦ୍ଧି ଥିଲେ ବାପ ଘରେ ପୁଅ’ ବୋଲି ବୋଲାଇ ।

 

ଚିକି ଚିକି ହୋଇ ଆଖିରେ ଚାଲାକି ଝଲକେ

ଘୂରିବୁଲେ ଡୋଳା ଚୌଦିଗେ ପଲକେ ପଲକେ ।

 

ରାଗିଲେ ହସଇ ହସିଲେ ଝରଇ ଅନଳ

ବନ୍ଧୁ ହେଲେ ନାଶେ ବୈରୀ ହେଲେ କରେ କବଳ ।

 

ଗାଆଁର ସବୁ ସେ ଯେ କଥା ନ କଲେ ନ ହବ

ଚୁଗୁଲିଆ ଦଳ ବୋଲାନ୍ତି ବିରାଡ଼ି ବୈଷ୍ଣବ ।

 

ବାରିପଟେ ଲୁଚି ବିଚାର କରନ୍ତି ମରଦ

‘ସବୁ ନାଶ କଲା ବିଶିଆ କଳିଆ ନାରଦ ।’

 

ତଥାପି ଯେବେ ସେ କେବେ କାହିଁ ଯାଇ ନାହାନ୍ତି

ହୁରି ପଡ଼ିଯାଏ ବିଶି ମାହାନ୍ତିଏ କାହାନ୍ତି ?

***

 

ବିଦ୍ରୋହୀ ମଙ୍ଗଳ ସିଂହ

 

କହିଲା ମଙ୍ଗଳ-

ବାରାକ୍‍ପୁରେ ଯେତେ ସିପେହି ଶୁଣ

ଗୋଲାମ୍‍ ହୋଇ ଶତ ସଲାମ୍‍ ଦେବା ଯେଉଁ ଜାତିର ଗୁଣ

ଭାଗ୍ୟ ତା’ର ଚିର ଅନ୍ଧକାରେ ଘୋର ଅନ୍ଧକାରେ

ମୁକ୍ତି ଆସେ ନାହିଁ କଲମ ଗାରେ ଆସେ ବଲମ ଧାରେ ।

ଜନମ ମାଆଟି ସେ ଜନମ ମାଟି !

କାଟ ଚରଣ ଫାଶ

କହିଲା ମଙ୍ଗଳ ବାରାକ୍‍ପୁରେ ଯେତେ ସିପେହି ଆସ ।

 

ଲଜ୍ଜା ନାହିଁ କେତେ ଭୋଗିବ ଲାଞ୍ଛନା ବିଦେଶୀ ହାତେ

ବ୍ରିଟିଶ୍‍ ସିଂହର ମୁଚ୍ଛ ଓଟାରିବି ଆସ ମୋ ସାଥେ ।

ଡରିବ ଯେତେ ଡର ଡରାଉଥିବ ତେତେ ଥରାଇ ଛାତି

ଡାକେ ମୁଁ ମଙ୍ଗଳ ଡାକେ ମୋ ଦେଶ ଆଜି

ଡାକେ ମୋ ଜାତି ।

 

ସୈନ୍ୟ ଭେକ ସାଥେ ଫିଙ୍ଗିଦିଅ ଯେତେ ଗୋଲାମ୍‍ଗିରି

କ୍ରୋଧରେ ତମ୍‍ ତମ୍‍ ପୋଷାକ ଟିକି ଟିକି ଦେଲା ସେ ଚିରି

ବୁଲେଟ୍‍ ଘାତେ

ମେଜର୍‍ ଓଲଟିଲା କଲିଜା ଲହୁ ବୋଳିନେଲା ସେ ହାତେ,

ରକ୍ତବୋଳା ହାତ ହଲାଇ ବୋଲେ ଯେତେ ସିପେହି ଶୁଣ

ହେବାରୁ ପୋଷାଶ୍ୱାନ କେଶରୀ ହତ୍ୟାରେ ନାହିଁ କି ଗୁଣ ?

 

ପ୍ରଥମବଳି ଲହୁ ଭାରତ ମୁକ୍ତିର ଘେନରେ ଚିତା

ରକ୍ତ ଶ୍ରାବଣରେ ଭସାଇ ରାବଣରେ ଆଣିବା ସୀତା ।

‘‘ଶତେକ ବର୍ଷର କ୍ରୋଧର ପ୍ରତିଶୋଧ ଗୋଟିଏ ଶିର ?’’

‘‘ଆଉରି ଚାହୁଁ ଆମେ ରକ୍ତ’’ ଏକସ୍ୱରେ କହିଲେ ବୀର ।

‘‘ରକ୍ତ ଚାହଁ ?’’

ଗୋଟିଏ କଣ୍ଠରେ ଜନ୍ମଭୂମି ଗୀତି ଗାଅ ହେ ଗାଅ ।

 

ଆସିଲା ଲେପ୍‍ଟନାଁଟ ସିଂହ ପରେ କ୍ରୋଧ ନୟନ ଢାଳି;

ଛିଡ଼ିଲା ମୁଣ୍ଡ ତା ଆଗକୁ ନ ଆସୁଣୁ ଦି ପାଦ ଚାଲି ।

ବୁଲାଇ ଚଉଦିଗେ ଫିରିଂ ଲହୁ ଧୁଆ ଲୋହିତ ହାତ

ବୋଲଇ ବିଦ୍ରୋହୀ ‘‘କଲି ମୁଁ ବେନି ଗୋରା ଜୀବନ ପାତ

ନିପାତ କରିବାରେ ନିପାତ ଏହିପରି ବିଦେଶୀ ସେନା

ଆଦାୟ କରିନେବା ଯେତେକ ଦେଶୀ ଲହୁ ନେଇଛି ଦେଣା ।

ବାର୍ସି କରି ହାତେ ଆମରେ ବିଦେଶର ଶାସନ ଚଳେ

ଦେଇଛୁ ଲାଞ୍ଛନା ଦେଶବାସୀରେ ପଶି ଶାସନ କଳେ ।

 

ମଡ଼କ ମହାମାରୀ ନଅଁକ ସାରାଦେଶେ ଦେଇଛୁ ବୁଣି

ଗୋଲାମୀ ଶିକ୍ଷାରେ ସ୍ୱଦେଶ ସ୍ୱଧରମେ କରିଛୁ ଖୁଣି ।

ଆମ ଦୁର୍ବଳତା

ବିଦେଶୀ କୂଟନୀତି ପୁଞ୍ଜ ହୋଇ କାଟେ ଆମର ମଥା ।’’

 

ଦୁଃସାହସ ଦେଖି ସହସା ପ୍ରବେଶିଲା ବ୍ରିଟିଶ୍ ଥାଟ

ଭାରତ ତାଡ଼ି ଅବା ଫୋପାଡ଼ିଦେବେ କ୍ରୋଧେ ନ ଦିଶେ ବାଟ ।

କାଲିର ବନ୍ଧୁଏ ହଠାତ୍‍ ବନ୍ଧୁକ ଧଇଲେ ତୋଳି

ନାଚିଲା ମଙ୍ଗଳ ଫିରିଂ ଲହୁ ସାରା ଶରୀରେ ବୋଳି ।

‘‘ମରିବି ନାହିଁ ଅରି କଳୁଷ ହାତେ କେଭେଁ ମରିବି ନାହିଁ’’

ଧର୍ମ ଦେଶଜାତି ପୁଣ୍ୟ ଗୀତିକା ସେ ଉଠିଲା ଗାଇ

ନିଜର ବକ୍ଷରେ ଲକ୍ଷ୍ୟକରି ବେଗେ ମାଇଲା ଗୁଳି

‘‘ମୁକ୍ତ ଭାରତରେ’’ ‘‘ଭାରତ ମୁକ୍ତରେ’’ ବଜାଇ ତୂରୀ ।

 

ରକ୍ତ ଧାରେ

ସବୁଜ ଭୂମି ପରେ ‘‘ଭାରତ ମୁକ୍ତରେ’’ ଲେଖିଲା ବାରେ ।

ଅଗ୍ରେ ଦେଖିଲା ସେ ଅଗ୍ନି ଶିଖା ହୋଇ ଉଠଇ ଜଳି

ମୁକ୍ତିବାଣୀ ତାର, ପଡ଼ଇ ବିଦେଶୀର ଶାସନ ଟଳି ।

‘‘ଜୟ ହେ ମଙ୍ଗଳ’’ ସିପେହି ପଟୁଆର ଗର୍ଜି ଚାଲେ

ଶହୀଦ୍‍ ଆଦରଣେ ଅସ୍ତରବି ଭାସେ ରକ୍ତ ଧାରେ ।

ପବନ ଖରତର ଅଗ୍ନିବୀଣା ତାର ବକ୍ଷେ ଧରି

ଯହିଁ ସେ ବିଚରିଲା ବିପୁଳ କାଳାନଳ ଉଠିଲା ଜଳି

ଧୂମ ଯେ ତାର

ବିଦେଶୀ ସଉଧରେ ଭରିଲା ମେଘମୟ ଅନ୍ଧକାର ।

***

 

କାଞ୍ଚି ବିଜୟୀ

 

କାଞ୍ଚୀ ପୁର ଲୋକେ ଶୁଣିଲେ ସଂଗ୍ରାମ ବାଜଣା

ସୂର୍ଯ୍ୟ ଚାହୁଁ ଚାହୁଁ

ତୂର୍ଯ୍ୟ ନାଦେ କାହୁଁ

ବିପଦ ଘୋଟିଆସେ ଅଜଣା

କାଞ୍ଚୀପୁର ଲୋକେ ଶୁଣିଲେ ସଂଗ୍ରାମ ବାଜଣା ।

 

ଛୁଟିଲା ରାଜଦୂତ ଶତ୍ରୁ ସେନା ଗଡ଼ ଦୁଆରେ

ଲଙ୍ଘି ଗଡ଼ ଖାଇ

ଭାଙ୍ଗି ଯଥା ଘାଇ

ବନ୍ୟା ଛୁଟିଆସେ ଜୁଆରେ

ଛୁଟିଲା ରାଜଦୂତ ଶତ୍ରୁ ସେନା ଗଡ଼ ଦୁଆରେ ।

 

ପ୍ରଳୟ କାଳାନଳ ଆସିଛି ଗଜପତି, ମଣିମା,

କାଞ୍ଚୀ ରାଜା କହେ

ପଳାଇ ଥିଲା ଭୟେ

ଏଥର ଟିକି ଟିକି ହାଣିମା

ପ୍ରଳୟ କାଳାନଳ ଆସିଛି ଗଜପତି, ମଣିମା ।

 

ଧାଇଁଲେ ସେନାପତି ଖଡ଼୍‍ଗ ଝକ ଝକ କିରଣେ

ଅସ୍ତ୍ର ଝଙ୍କାର

ହିଁସ୍ର ହୁଙ୍କାର

ପୃଥିବୀ ଫାଟିପଡ଼େ ଚରଣେ

ଧାଇଁଲେ ଗଜପତି ଅସ୍ତ୍ର ଝକ ଝକ କିରଣେ ।

 

ଚଣ୍ଡ ଖଡ଼ଗରେ ମୁଣ୍ଡମାଳ ଲୋଟେ ରକତେ

ମଣିଷ କାଟି କାଟି

ପଡ଼ିଲେ ଭୂଇଁ ଚାଟି

ସ୍ୱଦେଶ ଜନନୀର ଭକତେ

ଚଣ୍ଡ ଖଡ଼ଗରେ ମୁଣ୍ଡମାଳ ଲୋଟେ ରକତେ ।

 

ଧାଇଁଲେ ଗଜପତି ଟପକ୍‍ ଟପ୍‍ ଚଳେ ଘୋଟକ

ଅଗ୍ନି ଆଖି ତଳେ

ଦପକ୍‍ ଦପ୍‍ ଜଳେ

ଅଙ୍ଗୁ ଛିଟିକଇ ଝଟକ

ଧାଇଁଲେ ଗଜପତି ଟପକ୍‍ ଟପ୍‍ ଚଳେ ଘୋଟକ ।

 

 

 

 

କାଞ୍ଚୀ ସେନା ଦେହୁଁ ସହସା ଶୁଖିଗଲା ରୁଧିର

ଅଙ୍ଗ ଥର ଥରେ

ଖଡ଼୍‍ଗ ଖସିପଡ଼େ

ଜୀବନ ଲାଗି ହେଲେ ଅଧୀର ।

କାଞ୍ଚୀ ସେନା ଦେହୁଁ ସହସା ଶୁଖିଗଲା ରୁଧିର ।

 

ଶଶକସମ ହେଲେ ଖଣ୍ଡାଇତ ଦଳ ଶିକାର

ମୃଦାର ଦଳି ଦଳି

ଅଶ୍ୱ ଗଲେ ଚଳି

ଚିତ୍ତେ ନାହିଁ ତିଳେ ବିକାର

ଶଶକସମ ହେଲେ ଖଣ୍ଡାଇତ ଦଳ ଶିକାର ।

 

ପୁରୁଷ ଉତ୍ତମେ କାଞ୍ଚୀସେନା କହେ ‘‘ଶରଣ’’

କାଞ୍ଚୀ ରାଜା କହେ

ମର୍ମ ତଳ ଦହେ

ଏ ଅପମାନୁଁ ଭଲ ମରଣ

ପୁରୁଷ ଉତ୍ତମେ କାଞ୍ଚୀସେନା କହେ ‘‘ଶରଣ’’ ।

 

 

 

 

ପଶିଲେ ଗଜପତି କାଞ୍ଚୀ ରାଜା ନବ ନବରେ

ପଦ୍ମାବତୀ ବାଳା

କଣ୍ଠେ ଭରେ ମାଳା

ଅଶ୍ୱେ ବସାଇଲେ ଜବରେ

ପଶିଲେ ଗଜପତି କାଞ୍ଚୀ ରାଜା ନବ ନବରେ ।

 

ଘୋଟକ ଝପଟାଇ ଧାଇଁଲେ ବିଦ୍ୟୁତ ସମାନ

ଜାତୀୟ ଇଜ୍ଜତ

ତିଳେକ ହେଲେ କ୍ଷତ

ସହେ କି କ୍ଷତ୍ରିୟ ଗୁମାନ ?

ଘୋଟକ ଝପଟାଇ ଧାଇଁଲେ ବିଦ୍ୟୁତ ସମାନ ।

***

 

ବେଣ

 

କ୍ଷମତା ଦର୍ପେ ଫୁଲି ଉଠିଥିଲେ ଭାରତ ନୃପତି ବେଣ,

ପ୍ରଳୟ ରୁଦ୍ର ଝଞ୍ଜାରେ ଯଥା ଦୃପ୍ତ ସାଗର ଫେଣ;

ରାଜୁତି କ୍ଷମତା ଈଶ୍ୱର ଦାନ

କର ମୋତେ ପୂଜା କର ସମ୍ମାନ,

ପାଦୁକ ଯେସନ ପାଦୁକା ମୋହର ଘେନ,

କ୍ଷମତା ଦର୍ପେ ଫୁଲି ଉଠିଥିଲେ ଭାରତ ନୃପତି ବେଣ ।

 

ମହତୀ ଦେବତା ସୁଶାସନ ଲାଗି ପ୍ରଜା ପାଶେ ନୁହେଁ ଦାୟୀ,

ପ୍ରଭୁର ବିଭୂତି ଲଲାଟେ ଆଣିଛି ଶାସିବି ମରଜି ଚାହିଁ;

ପ୍ରତିବାଦ ଯଦି କର ମୋ ଶାସନେ,

ଅତିଥି ହୋଇବ ଶମନ ସଦନେ,

ପ୍ରଜା ଅଧିକାର ଶାସନ କାର୍ଯ୍ୟେ ନାହିଁ,

ମହତୀ ଦେବତା ସୁଶାସନ ଲାଗି ପ୍ରଜା ପାଶେ ନୁହେଁ ଦାୟୀ ।

 

ହୀରା ନୀଳା ମୋତି ମଣିର ଶଯ୍ୟା ତହିଁ ମୋ ଜନ୍ମ ଭବେ,

କୋଟି ଜନ କଳ ଉଲ୍ଲାସେ ଶତ ବାଦ୍ୟ ମନ୍ଦ୍ରରବେ;

ଭୋଗ ଜୀବନର ଲକ୍ଷ୍ୟ ମୋହରି,

 

 

ଆଣରେ ମଦ୍ୟ, ଆଣ ସୁନ୍ଦରୀ,

ଯଶ ଲାଗି ନାହିଁ ପିପାସା ହୃଦୟେ ଲବେ,

ହୀରା ନୀଳା ମୋତି ମଣିର ଶଯ୍ୟା ତହିଁ ମୋ ଜନ୍ମ ଭବେ ।

 

ଲକ୍ଷେ ଫୁଲର ପୀୟୂଷ ଶୋଷିବି ରସିକ ଭ୍ରମର ସମ,

କିବା ଅସାଧ୍ୟ ନ ସାଧଇ କହ ରାଜାର କ୍ଷମତା ଧନ ?

ପ୍ରତାପୀ ଅଗ୍ନି-ଲୋହିତ ନୟନେ,

କେ ନ ଡରେ କହ ମର୍ତ୍ତ୍ୟ ଭୁବନେ ?

ଶକ୍ତିର ଅନୁରକ୍ତ ସକଳ ଜନ,

ଲକ୍ଷେ ଫୁଲର ପୀୟୂଷ ଶୋଷିବି ରସିକ ଭ୍ରମର ସମ ।

 

ଧ୍ୱଂସ କର ହେ ଯଜ୍ଞ, ପାମର ଭଣ୍ଡାମି ତହିଁ ଭରା,

ଅଗ୍ନି ଜାଳିଲେ ସ୍ୱର୍ଗ ମିଳଇ ବୋଲଇ ଧର୍ମଛଡ଼ା;

ଆଳତୀ ପୂଜାରୀ ଦିଅ ହେ ନିଭାଇ,

ନିର୍ଜୀବ ଶିଳା ବର ଦିଏ କାହିଁ ?

ଶଠ ପୁରୋହିତ ଅର୍ଥ ଉପାୟ ପରା,

ଧ୍ୱଂସ କର ହେ ଯଜ୍ଞ, ପାମର ଭଣ୍ଡାମି ତହିଁ ଭରା ।

 

କିସ ସମ୍ୱାଦ କହୁ ରାଜଦୂତ ? ପ୍ରଜା ଦିଏ ନାହିଁ କର ?

ଆଦେଶ ମୋହର ତୀବ୍ର ଅନଳେ ଜାଳିଦିଅ ଗ୍ରାମ ଘର;

 

 

ଲୁଣ୍ଠିତ ଧନେ ଭର ରାଜକୋଷ,

ଜାଣୁ ପ୍ରଜା କିସ କରେ ରାଜରୋଷ,

ନାରୀ ଇଜ୍ଜତ ଅଗ୍ନି ଚରଣେ ଦଳ,

କିସ ସମ୍ୱାଦ କହୁ ରାଜଦୂତ ? ପ୍ରଜା ଦିଏ ନାହିଁ କର ?

 

କିସ କହୁ ଦୂତ ? ପ୍ରଜା ବିଦ୍ରୋହୀ ? ତରବାରୀ ମୋର କାହିଁ ?

ହସ୍ତୀ ଚରଣେ ମନ୍ଥି ଦିଅରେ ଧ୍ୱଂସର ଗୀତି ଗାଇ;

ଜନକର ଆଗେ ବଳିଦିଅ ଶିଶୁ

ସ୍ୱାମୀ ଲହୁ ଧାରେ ନାରୀ ଲୁହ ମିଶୁ,

ଶାସନ କାର୍ଯ୍ୟେ ଦୟାର ଧୈର୍ଯ୍ୟ ନାହିଁ,

କିସ କହୁ ଦୂତ ? ପ୍ରଜା ବିଦ୍ରୋହୀ ? ତରବାରୀ ମୋର କାହିଁ ?

 

କହ ଦୂତ କାହିଁ ପ୍ରଳୟ ଝଞ୍ଜା ସହସା ଆସଇ ମାଡ଼ି ?

କାହିଁ ସେନାପତି ସୈନ୍ୟ ବିପଦେ ସର୍ବେ ଗଲେ କି ଛାଡ଼ି ?

ହୃଦୟ ମନ୍ଥେ ଏ କି କୋଳାହଳ ?

କିବା ପଟୁଆର କ୍ରୋଧ ଜର୍ଜର ?

କାହିଁ ଦୂତବର କାହିଁ ମୋର ତରବାରୀ ?

କହ ଦୂତ କାହୁଁ ପ୍ରଳୟ ଝଞ୍ଜା ସହସା ଆସଇ ମାଡ଼ି ?

 

 

 

ଯେ ରାଜତନ୍ତ୍ର ଶାସନର ନାମେ ଶମଶାନ କରେ ଭୂଇଁ,

କର ନାମେ ପ୍ରଜା କଲିଜା ରକ୍ତ ନିଃଶେଷ କରେ ଦୁଇଁ,

ଆମରି ଅଶ୍ରୁ ଗଢ଼େ ଯେ ଶାସନ,

ବାଞ୍ଛଇ ସେହୁ ଆମରି ନାଶନ !

ଇଷ୍ଟ ଦେବତା ଆମଲାଗି ଖୋଳେ ଜୁଇ !

ଯେ ରାଜତନ୍ତ୍ର ଶାସନର ନାମେ ଶମଶାନ କରେ ଭୂଇଁ ।

 

ଯେ ରାଜତନ୍ତ୍ର ଅଗ୍ନି ଜାଳଇ ବୁକୁ କମ୍ପିତ କରି,

ନିଭାଇ ଦେ ତାରେ, ନିଭାଇ ଦେ ଆରେ, ଝଞ୍ଜା ମୂରତି ଧରି;

ନାରୀ ଇଜ୍ଜତ ହରେ ଯେ ଘୃଣ୍ୟ,

ଧ୍ୱଂସ ତାହାର ପରମ ପୁଣ୍ୟ,

ଆସ ମୂକଗଣ ଏକତା ଶକ୍ତି ଧରି,

ଯେ ରାଜତନ୍ତ୍ର ଅଗ୍ନି ଜାଳଇ ବୁକୁ କମ୍ପିତ କରି ।

 

ଦଂଶଇ ଯଦି ପୁଷ୍ପ ମୁକୁଟ ଉଦ୍ଧତ ପଦେ ଦଳ,

ହିଂସଇ ଯଦି କଟିର କଟାରୀ ଧ୍ୱଂସ ଭସ୍ମ କର;

ଶାସକ ନୁହେଁ ସେ ଶୋଷକ ମୂର୍ଖ,

 

 

 

 

ନିଜ ସୁଖେ ସୃଜେ ନିଖିଳ ଦୁଃଖ,

ଘୃଣ୍ୟ ବ୍ୟାଧିର ସମାଧି ରଚନା କର,

ଧ୍ୱଂସଇ ଯଦି ପୁଷ୍ପ ମୁକୁଟ ଉଦ୍ଧତ ପଦେ ଦଳ ।

 

ଗର୍ଜିଲା ବୀର ଦଳପତି ପ୍ରଜା ଜୈବିକ ଅଧିକାର,

ପ୍ରତିଶୋଧ କ୍ରୋଧେ ନୟନେ ନୟନେ ଜଳିଲା ଅଗ୍ନି ଗାର;

ଗର୍ଜ୍ଜି ଧାଇଁଲେ ବିପ୍ଳବୀ ଦଳ,

ଅବାକ୍ ଶୂନ୍ୟ ଚାହେଁ ଜଳ ଜଳ,

ଧୂଳି ଅନ୍ଧାରେ ଶବ୍ଦ କେବଳ ‘ମାର’,

ଗର୍ଜିଲା ବୀର ଦଳପତି ପ୍ରଜା ଜୈବିକ ଅଧିକାର ।

 

ଧାଇଁଲା ଝଞ୍ଜା କମ୍ପ୍ର ଚରଣେ ବଜ୍ର ନଚାଇ ନଭେ,

ଚୁମ୍ୱିଲା ରାଜସୌଧ ଧରଣୀ ଗଣତନ୍ତ୍ରର ରବେ;

ଲୋତକ-ଲାଳିତ ପ୍ରମୋଦ କାନନ,

ହେଲା ରାଜଦଳ ରକ୍ତେ ମଗନ,

ବୋଇଲା କୋକିଳ ‘‘ନଶ୍ୱର ସବୁ ଭବେ’’,

ଧାଇଁଲା ଝଞ୍ଜା କମ୍ପ୍ର ଚରଣେ ବଜ୍ର ନଚାଇ ନଭେ ।

 

 

 

 

ଦୁଃଖୀ କୁଟୀରେ ଜାଳିଥିଲେ ରାଜା ଯେ ଅନଳ ନିଜ ହାତେ,

ଆହୂତି ହୋଇଲେ ତହିଁ ଝଞ୍ଜାର କଠୋର ମୁଷ୍ଟି ଘାତେ;

ଆମୋଦ ଗର୍ବ ଆଶା-ହିମାଚଳ,

ଭସ୍ମ ଭସ୍ମ ଭସ୍ମ କେବଳ,

ସିକ୍ତ ନ ହେଲା କାହାର ଲୋତକ ପାତେ,

ଦୁଃଖୀ କୁଟୀରେ ଜାଳିଥିଲେ ରାଜା ଯେ ଅନଳ ନିଜ ହାତେ ।

***

 

ମାନସ ତୀର୍ଥ

 

କହିଲେ ଯଯାତି ମାନ ସରୋବର ଜଳ

ଆସିନାହିଁ ଯେବେ ସବୁ ଶ୍ରମ ନିଷ୍ଫଳ

ସବୁ ଶ୍ରମ ନିଷ୍ଫଳ

କହେ ଚାଟୁକାର ଆସିନି ମାନସ ଜଳ ।

 

କହେ ସେନାପତି ଏଇଠାରେ ଗଲି ହାରି,

ବୋଲଇ ମନ୍ତ୍ରୀ ‘‘କର ଶଙ୍କର ପାରି’’

କ୍ଷୁର୍ଣ୍ଣ ସକଳ ବ୍ରତ

ବଣିକ ବଚନେ ସଭାସଦ କହେ ‘ସତ’ ।

 

ଗଙ୍ଗା ଯମୁନା ନର୍ମଦା ଗୋଦାବରୀ

ପୁଷ୍କର ଆଉ ପ୍ରଭାସ ସଲିଳେ ଭରି

ସ୍ୱର୍ଣ୍ଣ କଳସୀ ଆଣିଚି ଦେଉଳ ପାଇଁ

ପୁରୋହିତ କହେ ହେବ ନାହିଁ, ହେବ ନାହିଁ ।

 

ସାତ ଦିନ ବାକି ଆଉ

ମଥା ନତ କରି ଡଗର ବୋଲଇ ‘‘ଛାମୁ

ମାନ ସରୋବର ଜଳ ମୁଁ ପାଇବି କାହୁଁ ?’’

ବିଦୂଷକ ମୁଖୁଁ ହାସ୍ୟ ଗଲାଣି ନିଭି

ଭାଟ କହେ ଧୀରେ ବାଟକାଟି ଚାଲିଯିବି ।

 

ରାଜ୍ୟରୁ ଦେବି ଅଧେ

ଧୀରେ ଗମ୍ଭୀରେ କହିଲେ ଯଯାତି

ମାନ ସରୋବର ଜଳ

ଆଣି କି ପାରିବ

ଅଛ କିଏ ସଭାସଦେ ?

ବିଦ୍ୟୁତ ପ୍ରାୟେ

ଚମକିଲା ଆଗେ

ରାଜ୍ୟ ପ୍ରାପତି ଆଶା

ଚିତ୍ରିତ ପ୍ରାୟେ ଜନତା ରହିଲା ଚାହିଁ,

ଶ୍ୱାସର ଶବଦ ନାହିଁ,

ଅଧରେ ଅଧରେ ରୁଦ୍ଧ ହୋଇଲା ଭାଷା ।

ମାନସର ଅଭିଯାନ

ଭାଙ୍ଗିଲା ଯେତେ ବୀରପଣ ଅଭିମାନ ।

 

ନୀରବତାର ସେ ଲାଞ୍ଛନା ସହି ସହି,

ଗୋଟିଏ ବକ୍ଷ ପଡ଼ି ନାହିଁ ଏକା ନଇଁ ।

 

କିଶୋର ବୟସ, ଅମଳ କୋମଳ ହାସ,

ଭରା ତହିଁ ନିଜ ଶକତିରେ ବିଶ୍ୱାସ ।

 

ଉଠିଲା କୁମାର ନୟନେ ଦୀପ୍ତି ଭରି,

ସଂକଳପରେ ଅଧର ଶାଣିତ କରି ।

 

କର ଯୋଡ଼ି ବୋଲେ ସ୍ଥିର ଗମ୍ଭୀରେ ଚାହିଁ,

ଛାମୁଁ ହେ, ମୋହର ରାଜ୍ୟରେ ଲୋଡ଼ା ନାହିଁ ।

 

ମାନସ ତୀର୍ଥ ଅମୃତ ଆଣି ଦେବି,

ଆଶିଷ ପାତ୍ର ହେବି ମୁଁ ଜଗତ୍‍ ସେବି ।

 

ବିଶ୍ୱାସ ତହିଁ ଜାତ ହେଲା କେତେ ମନେ,

କେତେ ବା ଭାବିଲେ ମୂର୍ଖରୁ ଏଇ ଜଣେ ।

 

କେତେ ବା କହିଲେ ଚପଳତା ସବୁ ନାଶେ,

କେତେ ବା ଭାବିଲେ ଆମର କି ଯାଏ ଆସେ ?

 

କୁମାର ସାହସ ଦେଖି

ଗଉରବେ କେତେ ସଭାସଦ ଦେଲେ ଟେକି ।

 

ବାନ୍ଧିଲେ ରାଜା ଶିରପା କୁମାର ମାଥେ,

ଗଲା ସ୍ନେହାକୂଳ ଅନୁକୂଳ ବାଆ ସାଥେ ।

 

ପ୍ରକୃତି ଶୋଭା ଡାକିନେଲା ଆଗେ ଆଗେ,

ଜନନୀର ଅନୁରାଗେ ।

 

ସଙ୍ଗେ ଚଳିଲେ ବେନି ସଇନିକ ସାଥୀ,

ନବ ଯଉବନ ଉନ୍ମାଦନାରେ ମାତି ।

 

ଆଣିଛି କି ନାହିଁ କୁମାର ମାନସ ନୀର,

ରାଜ ଦରବାରେ ସାକ୍ଷୀ ଦେବେ ବେନି ବୀର ।

 

ଅଶ୍ୱର ଖର ବେଗେ,

ଭୂମିର ଉପରେ ଲୋଟିଲେ ଧୂଳିର ମେଘେ ।

 

ଖରତର ବେଗେ ଚମକି ଚଳିଲା ବାଜି,

ଲଂଘି ସରିତ ବନ ପର୍ବତରାଜି ।

 

ନଗର କେଦାର ପ୍ରାନ୍ତର ଜନପଦ,

ବିପଦ ବିଘ୍ନେ ଧୂଳି କରିଦିଏ ପଦ ।

 

ଦୁର୍ଗମ ପଥେ ଚାରିଦିନ ହେଲା ଶେଷ,

ଆଶା ନାହିଁ ଆଉ ଲେଶ ।

 

ଆଶା ନାହିଁ ଆଉ ନାହିଁ

ଝିଙ୍କାରୀ ରବେ ମରୀଚିକା ଉଠେ ଗାଇ ।

 

ଆଖି ଯହିଁ ପାଏ ଦିଶିଯାଏ କେତେ ଭୂମି

ସବୁଜ ଶସ୍ୟ ଲହଡ଼ି ଭାଙ୍ଗେ ଘନ ନୀଳାକାଶ ଚୂମି

 

ତରୁ ଡାଳେ ନାଚି ପବନ କହଇ ‘‘ଭାଇ,

ଆଶା ନାହିଁ ଆଉ ନାହିଁ ।’’

 

ଶ୍ରାନ୍ତ ବଉଦ ଅତିଥି ଶଇଳ ଦ୍ୱାରେ,

କୁମାରେ ଅନାଇ ବୋଲଇ ‘‘ବାଇଆ ଆରେ ।

 

ନୋହିବାର ଯାହା କି ଲାଭ ତା’ ପଛେ ଧାଇଁ ?

ଆଶା ନାହିଁ ଆଉ ନାହିଁ ।

 

ବହିଯାଏ ଆଗେ ଗଙ୍ଗା ଯମୁନା ଧାରା,

ଇନ୍ଦ୍ରନୀଳରେ ଗୁନ୍ଥା ମୁକୁତା ମାଳା ।

 

ପ୍ରୟାଗ ତୀର୍ଥେ ଶତ ଯାତ୍ରୀର ଦଳ,

ପୁରାଣ ଯୁଗର କରୁଣ ଗୀତିକା

ଆଳାପେ ଲହରୀ କଳକଳ, ଛଳ ଛଳ ।

 

କହିଲା କୁମାର- ହିମାଚଳ ଚୂଳୁଁ ଜାହ୍ନବୀ ଆସ ବହି,

ମାନ ସରୋବର ବାରତା ପାରିବ କହି ?

 

କନକ କମଳ କୋମଳ ପରାଗରାଶି,

ବଦନେ ବୋଳଇ ଉର୍ବଶୀ ଯହିଁ ଆସି ।

 

ଭାଗୀରଥୀ ତହୁଁ ଆଣିକି ପାରିବି ଜଳ ?

‘‘ନାହିଁ ନାହିଁ ନାହିଁ ସବୁ ଶ୍ରମ ନିଷ୍ଫଳ ।’’

 

ଅତୀତର କେତେ ବିଫଳ ପ୍ରୟାସ

ଯମୁନା ଅଛ ଗୋ ଜାଣି

ମାନ ସରୋବରୁ ଆଣିକି ପାରିବି ପାଣି ?

 

ନାହିଁ, ନାହିଁ, ନାହିଁ, ନାହିଁ,

ଯମୁନା କହିଲା ମରାଳ କଣ୍ଠେ ଗାଇ ।

 

 

 

ସରସ୍ୱତୀ ଗୋ ଆଣି କି ପାରିବି ଜଳ ?

ସାଧୁ ଉଦ୍ୟମ ହେବକି ମୋ ନିଷ୍ଫଳ ?

 

ହେବି ଭାଗ୍ୟର ଦାସ ?

ଯୁଗେ ଯୁଗେ ହେବି ଇତିହାସ ଉପହାସ ।

 

ଅନ୍ତର ତଳ ପରଦା ସଧୀରେ ଠେଲି

ଡାକିଲା କିଏ ସେ କୁମାର,

କୁମାର ଚାହିଁଲା ନୟନ ମେଲି ।

 

କଳ୍ପିତ ସେହି ମାନ ସରୋବର ତୋହରି ମାନସ ତଳେ

ଶୋଭିତ ଅୟୁତ ଭାବ ସୁନା ଶତଦଳେ ।

 

କବିତା ମରାଳ ଲୀଳା କରେ ନିତି ଯହିଁ,

ସଂଗୀତ ଝର କୁଳୁ କୁଳୁ ଯାଏ ବହି ।

 

ବାକ୍‍ଦେବୀ ବୀଣା ଝଙ୍କାରେ ଯା’ର କୂଳେ,

ସୁଷମା ଲକ୍ଷ୍ମୀ ଖେଳେ ଯହିଁ ଫୁଲେ ଫୁଲେ ।

 

 

 

 

ଶକ୍ତିର ମୂଲ ଉତ୍ସ ଉଠଇ ଯହିଁ

ଯୁଗ ଯୁଗ ଧରି ପ୍ରଗତିର ଧାରା

ଆସୁଅଛି ଯହିଁ ବହି ।

 

ଯେତେକ ବିଦ୍ୟା ଯେତେକ ବୁଦ୍ଧି ବଳ,

ଯେତେ ରାଜନୀତି କୂଟନୀତି କଉଶଳ,

 

ଶିବ ସୁନ୍ଦର ସତ୍ୟ ଜଗତେ ଯାହା,

ଶାନ୍ତି ମୈତ୍ରୀ ମୁକତିର ଯେତେ ରାହା

 

ଯାହା କିଛି ସାର ତହିଁ ରହିଅଛି ପୂରି;

କସ୍ତୁରୀ ମୃଗ ସମ ତୁ ନିଜରେ ଭୁଲି

ନିଜର ଶକତି କ୍ଷୟ କରୁ ଅକାରଣ

ବନ କାନ୍ତାରେ ବୁଲି ।

 

ସକଳ ତୀର୍ଥ ମଣିଷର ସରଜନ

ମାନ ସରୋବରେ ଗଢ଼ିଚି ମଣିଷମନ ।

 

କଳ୍ପନା ଦେଶେ ତୋଳିଛି ସ୍ୱରଗ

ଥାପିଛି ସେ ଭଗବାନ

ତୀର୍ଥର ମହାତୀର୍ଥ ଭିତରେ କର, କର ସନ୍ଧାନ;

 

ମହା ମାନ ସରୋବର

ସକଳ ତୀର୍ଥେ ପୂତତମ ଯା’ର ଜଳ ।

 

ଭୁବନେଶ୍ୱର ମହା ମନ୍ଦିର ପାଇଁ

ସେହି ଜଳ ଏକା ସେହି ଜଳ ଲୋଡ଼ା ଭାଇ ।

 

ଯା ମଧୁର ରସ ପାଷାଣେ ଦେଇଛି ବାଣୀ

ପୂତତମ ତାରେ କରିବ ତୋହର

ମାନସ ତୀର୍ଥ ପାଣି ।

 

ତୀକ୍ଷ୍ଣ ଛୁରିକା ମାରିଲା କୁମାର ମାଥେ

ଝରିଲା ରକ୍ତ--

ଜାତି ପ୍ରୀତି ପୂତ ମାନସ ତୀର୍ଥବାରି

ଦେଲା ସଇନିକ ହାତେ ।

 

ପବିତ୍ର ଏଇ ଅର୍ଘ୍ୟ ଭାଇ ହେ ନିଅ

ବୁଝାଇ ସକଳ ଯଯାତି ହସ୍ତେ ଦିଅ ।

 

ମହା ମନ୍ଦିର ବନ୍ଦିତ ଶିରେ

ନୀରବେ ଉଠିବ ଗାଇ

ଦିକୋଟି ଜୀବନେ ଗୋଟିଏ ଜୀବନ

ଅର୍ଘ୍ୟ ହୋଇଚି ଜାତି ପାଇଁ ଦେଶ ପାଇଁ ।

 

ନିସ୍ତେଜ ଆଖି ନିଭିଗଲା କ୍ଷଣେ ଜଳି

ପ୍ରୟାଗ ତୀର୍ଥେ କୁମାର ପଡ଼ିଲା ଢଳି ।

***

 

କବିତା ଓ କଙ୍କାଳ

 

ବିଜନ କୁଟୀରେ ବସି ଲେଖଇ କବିତା

ଆସି କାହିଁ ଭାସିଯାଏ ଚିନ୍ତା ପରେ ଚିନ୍ତା ।

ଗୁନ୍ଥିଯାଏ ଗୋଟି ଗୋଟି ମାଳାକାର ସମ

ଅନାୟାସେ ଧରାଦିଏ ଛନ୍ଦେ ଯେହୁ ମମ ।

 

ଏକାଳେ ଭିକାରି ଆସି ଆରମ୍ଭିଲା ଗୀତ

ଚିତ୍ତ ହେଲା ବିଚଳିତ ଭାବ ଅସ୍ତମିତ ।

ଆସୁଥିଲା ଯେ ନିକୁଞ୍ଜ ସରାଗେ ବଉଳି

କଙ୍କାଳର କୋଳାହଳେ ପଡ଼ିଲା ମଉଳି ।

 

ଗରଜିଲି କଟୂଭାଷେ କ୍ରୋଧେ ହତଜ୍ଞାନ

କଙ୍କାଳ କରୁଣ କଣ୍ଠେ ଛିନ୍ନ ହେଲା ଗାନ ।

ନିରାଶେ ମଳିନ ମୁଖ, ଆଖି ଛଳ ଛଳ

ଫେରାଇ ସେ, ଭାବିଲି ମୁଁ କେଡ଼େ ସ୍ୱାର୍ଥପର ।

 

ତାପରେ ବୋଇଲି ଗାଆ ଗାଆରେ ଭିକାରି

ଶୁଣାଇଛି, ଶୁଣିବାର ଆଜି ଅଧିକାରୀ ।

 

 

ତୋ ଜୀବନ ମୋ କବିତା ଏକା ଉପାଦାନେ

ଗଢ଼ା ଯେଣୁ ପୂଜେ ତେଣୁ ଅତି ସନମାନେ ।

 

କଙ୍କାଳ, ଗାଆରେ ଗୀତ କବିତା ନିଷ୍ଫଳ

ସମ୍ୱଳ ନ କରେ ଯଦି ତୋର ଅଶ୍ରୁଜଳ ।

***

 

ପୀର୍‍ ଆଲୀ

 

ବିଦ୍ରୋହୀ ସିପାହୀ-ନେତା ପୀର୍‍ଆଲୀ ଫିରିଙ୍ଗିର ହାତେ

ବନ୍ଦୀ ହୋଇ ଚଢ଼ିଥିଲେ ଫାଶି କେଉଁ ଦୁର୍ଦ୍ଦିନ ପ୍ରଭାତେ ।

 

କହିଲେ ଶ୍ୱେତାଙ୍ଗ-ନେତା ଗର୍ବସ୍ୱରେ ବିଦ୍ରୂପ ମିଶାଇ

‘‘ଦୁର୍ଲ୍ଲଭ ମାନବ ଜନ୍ମ ଜୀବନରୁ ବଡ଼ କିଛି ନାହିଁ ।

 

ଆଗେ ଦେଖ ଫାଶି-କାଠ, ରକ୍ତ ନେତ୍ରେ ଚାହିଁଚି ମରଣ,

ଫିରିଙ୍ଗି ଇସ୍ପାତ ମୁଷ୍ଟି ତଳେ ଦେଖ ତୁମରି ଜୀବନ ।

 

ଏବେ ବି ସମୟ ଅଛି-

ନାମ ବୋଲି ଅନ୍ୟ ବିଦ୍ରୋହୀର

ଭୋଗିବ ସମ୍ପଦ ସୁଖ ସ୍କନ୍ଧେ ରଖି ଗର୍ବୋନ୍ନତ ଶିର ।’’

 

ଲୌହ କଡ଼ି ତୀବ୍ର ଚାପେ ଝର ଝର ଝରଇ ଶୋଣିତ

ନିର୍ଭୀକ ବଦନୁ ଝରେ ଜନ୍ମଭୂମି-ମୁକତି-ସଙ୍ଗୀତ ।

 

ଉତ୍ତରିଲେ ପୀର୍‍ଆଲୀ, ‘‘ରେ ପିରିଙ୍ଗି, ହୋଇ ଯେ ସ୍ୱାଧୀନ

ବୁଝେ ନାହିଁ ଦାସତ୍ୱର ଦୁଃଖ ନିଜେ ସେଇ ପରାଧୀନ ।

 

ଖଡ଼୍‍ଗ ବଳେ ଜିଣି ବହୁ ରାଜ୍ୟ ଛାର ମୃତ୍ତିକା ବିକାର

କରିଛୁ କିରେ ଫିରିଙ୍ଗି ପୀର୍‍ଆଲୀ ହୃଦ ଅଧିକାର ?

 

ଝୁଲାଇବୁ, ଝୁଲା ମୋତେ ଫାଶି କାଠେ ନାହିଁ ତିଳେ ଭୟ

ପାରିବୁ କି ଝୁଲାଇ ତୁ ଜନ୍ମଭୂମି ଆଦର୍ଶ ନିଚୟ ?

 

ଆଜି ମୃତ୍ୟୁ ମୃତ୍ୟୁ ନୁହେଁ ଜୀବନର ଅନନ୍ତ ଉତ୍ସବ

ମରିଚିର ବଞ୍ଚିବାର ଏ ସୁଯୋଗ ଜଗତେ ଦୁର୍ଲ୍ଲଭ ।

 

ମୋର ରକ୍ତ ବିନ୍ଦୁ ବିନ୍ଦୁ ଝରିବ ଯେ ଜନ୍ମଭୂମି ପାଦେ

ଜନ୍ମିବେ ମୁକ୍ତିର ରକ୍ତବୀର୍ଯ୍ୟଦଳ ତହୁଁ ମହାହ୍ଲାଦେ ।

 

ବନ୍ଧୁକ ତୋ କରି କ୍ଳୀବ ବିଦ୍ରୂପ ତୋ ଦେବେରେ ନିଭାଇ

ଦୁର୍ଜ୍ଜୟ ମୋ ଆତ୍ମା ସ୍ୱର୍ଗେ ସୁଖୀ ହେବ ଜାତି-ମୁକ୍ତି ଚାହିଁ ।’’

***

 

ମାର୍ଗଶିର

 

ସୁନା ଝଲମଲ ହିମ ଛଳ ଛଳ ଆଜି ଏ ମଧୁର ଉଷାରେ

ମାର୍ଗଶିରୀଷ ଜନନୀ ଆସିବେ ଶିଶିର ଧବଳ ଭୁଷାରେ

ସଜଳ ଉଜଳ କୁସୁମ ନୟନେ

ଅନାଇ ବିଶ୍ୱ ଅୟନେ ଅୟନେ

ଭରିବେ ଶାନ୍ତି ଭବନେ ଭବନେ, ହରିବେ ନିଖିଳ ତୃଷାରେ

ଆରଶି କରିବେ ସରସୀ ସରିତେ ରସିବେ ଶୀତଳ ତୁଷାରେ ।୧।

 

ସବୁଜ ସରସ ଶସ୍ୟ ଶିଷାରେ ବୁଲାଇ କନକ କାଉଁରୀ

ହେମ ଅଞ୍ଚଳା ଚଞ୍ଚଳା ଆଜି ବାନ୍ଧିବେ କ୍ଷେତ ଚଉଁରୀ

ଶେଷ ହାସଦେଇ ଝରିଯିବ କାଶ

ସରୋଜ ଶେଫାଳୀ ଦେବେ ଶେଷବାସ

ସୁଷମା ସାଗରେ ଖେଳିଯିବ ଶେଷ ଲାବଣ୍ୟ ବୋଳା ଭଉଁରୀ

କୁହେଳୀ ଜୁଆରେ ଶିଶିର ସମୀରେ ଆକାଶ ଉଠିବ ଉଛୁଳି ।୨।

 

ପଲ୍ଲୀ ବଧୂର ହୁଳହୁଳି ନାଦେ ପୂରିଲାଣି ଶତ ସରଣୀ

ପିଠୋଉର ଛରା ଛାଟି ଧାନ କେରା ଚିତ୍ର ରଚଇ ଘରଣୀ

ମା’ ପାଦ ଚିତା ସଦନେ ସଦନେ

ଖେତ ଖଳା ମେଡ଼ି ବଦନେ ବଦନେ

ରଜତ ତୂଳୀରେ ବୋଇତର ଛବି ସ୍ମରି ଲେଖେ କେଉଁ ରମଣୀ

ଧାନଗଦା ଚେଳେ ଆବରି ଦୀନତା ହସେ ଉତ୍କଳ ଅବନୀ ।୩।

 

ପୀତ ସୋରିଷର ସୁନେଲୀ ଲାସ୍ୟେ କେଦାର ଲକ୍ଷ୍ମୀ ହସଇ

ହେମନ୍ତ-ରାଣୀ ସରସ ଅଙ୍ଗ ଆହା କି ମଧୁର ବାସଇ

ଝରିପଡ଼ି ସୁନା ଗଉର କ୍ଲାନ୍ତି

ଶତ ବର୍ଗ କି ଫୁଟଇ ଭ୍ରାନ୍ତି ?

ବିକଶିତ ସୋମେ ଶାନ୍ତି ଦେବୀର ନୟନ କି ସତେ ଦିଶଇ ?

କହ୍ଲାର କୋଳେ ମହ୍ଲାର ତୋଳି ମୁଦେ ମଧୁଲିଟ ରସଇ ।୪।

 

କାହିଁ ଚାଷୀ ରୂପେ କୁଲା ହାତେ ମାତା ଧୂସର ଧାନ୍ୟ ଉଡ଼ାଏ

କାହିଁ ବେଙ୍ଗଳା ଚାଳି ଖଳବାଡ଼ି ସୁନା ଗୌରବେ ବୁଡ଼ାଏ

ନଦୀପାରେ ସାଜି କାହିଁବା ଷୋଡ଼ଶୀ

ଧାନ ଗୋଛା ଧରି ଆସେ ହସି ହସି

ଉଦାର ଗଣ୍ଡ ମୁକୁରେ ତପନ ସ୍ୱେଦର ମୁକୁତା ବଢ଼ାଏ

ଶ୍ୟାମଳ ଶସ୍ୟ କୁନ୍ତଳେ କାହିଁ ସୋରିଷ କୁସୁମ ଜଡ଼ାଏ ।୫।

 

ପଲ୍ଲୀ ଧମନୀ ତଳେ ବହେ ଆଜି କରମ ରକତ ଧାରାରେ

ଆଖୁବନ ହସ ଫୁଲ ଉଡ଼ି ନଭେ ତୁଳଇ କି ଲୋଡ଼ି ତାରାରେ !

ଖାଇରୁ ଦୋରୁଅ ଝର ଝର ଝରେ

ନୂଆ ଗୁଡ଼ ବାସ ଭରେ ଘରେ ଘରେ

ଗ୍ରାମ ପଥ ରେଣୁ ମହକେ ମଧୁରେ ଚହଟେ ଧରଣୀ ସାରାରେ

ଆଖୁ ଖାଇ ଖାଇ ଗାଏ ଚଷା ଭାଇ ଧାନ ଫୁଲ ଚିତା କପାଳେ ।୬।

 

ଶିରି ଶିରି ପୀତ ଈଷତ ଲୋହିତ ସଜଳ ସଞ୍ଜ ନଇଁଲା

ରବି ଖଳିକାର ପୀତ ନାଗକର ଖେଳାଇ ବଉଦେ ଧଇଲା

ରକ୍ତ ବାଦଲ ପେଟିକାରେ ଭରି

ବିଜୁଳି ଶିକାରେ ଭାର ବହି ଧରି

ସାଗର ଲହରେ ପାଦ ଚଞ୍ଚଳି ଦିଗ୍‍ବଳୟରେ ମିଶିଲା

ମାର୍ଗଶିରୀଷ ଜନନୀ ଗୋ ମୋର ସୁଧାକର କରେ ହସିଲା ।୭।

 

କୁହୁଡ଼ି ଲତାର ପହଡ଼ ଭାଜିଲା ଜୁଳୁଜୁଳା ଫୁଲ ଫୁଟାଇ

ଆକାଶର ନୀଳେ ଜୋଛନାର ଡାଳେ ତରତରେ ଗଲା ଲଟାଇ

କିବା ଅପରାଧେ କୋଟି କୋଟି ତାରା

ଅକାତରେ ସତେ ବରିନେଲେ କାରା

କଳାକର ଳା ଫଳକ ଖେଳାଇ ସେ ଫଉଜ ଦେଲେ ଫଟାଇ

ହିମ କର୍ପୂର ମାଳା ଜପିନେଲେ ଜନନୀ ରଜନୀ କଟାଇ ।୮।

***

 

ବୀର ଜନନୀ

 

ସଂଗ୍ରାମୁଁ ଫେରି ଜନନୀ ଚରଣେ ବନ୍ଦିଲା ସଞ୍ଜୟ

ବିଦୁଳା ପୁଚ୍ଛେ କି ହୋଇଛି କହ ବିଜୟ କି ପରାଜୟ ?

 

ବକ୍ଷ ବେଦନା ନିଗାଡ଼ି ନିରତ ବ୍ୟାକୁଳ ଲୋତକ ଧାରେ

ନୟନେ ନିଦ୍ରା ନଇଲା, ଚାହିଁଛି ବସି ଏ ବିଜନ ଦ୍ୱାରେ ।

 

ସଂଗ୍ରାମ ଲାଗି ହସ୍ତେ ତୋହର ଦେଇଥିଲି ତରବାରୀ

ଦେଇଥିଲି ମୋର ଅନ୍ତର ତଳୁ ଗଭୀର ଆଶିଷ ଢାଳି ।

 

ସଂଗ୍ରାମେ ଛାଡ଼ି ବୁଝେନା ତଥାପି ବୁଝେନା ଜନନୀ ମନ

ଶୂନ୍ୟରୁ କିବା ଶୂନ୍ୟତର ମୁଁ ଅନୁଭବେ ହୃଦେ ମମ ।

 

ଏକ ପୁତ୍ରର ଜନନୀ ଜୀବନ ଜୀବନ ନୁହଇ ଆରେ

ଜୀର୍ଣ୍ଣ ନଉକା ସମ ଭାସୁଥାଏ ଉଷ୍ମ ଲୋତକ ଧାରେ ।

 

ମହାଶଙ୍କାର ବତାସ ତାହାର ହତାଶ ବକ୍ଷେ ବାଜେ

ପ୍ରତିକୂଳ ଏକ ବଜ୍ର ନିନାଦେ ହାହାକାର ତୀରେ ଭାଜେ ।

 

 

 

ଜୀବନୁଁ ଜୀବନ ସମ୍ମାନ ବଡ଼, ସେଇ ଲକ୍ଷ୍ୟେ ମୋ ଲୟ

ବିଜୟୀ କି ଆଜି ମହା ସଂଗ୍ରାମେ କହ, କହ ସଞ୍ଜୟ ।

 

ମଉଳି ମଉନେ ଛିଡ଼ା ସଞ୍ଜୟ ନୋଇଁ ଦୁର୍ବଳ ମଥା

ଆଶା ଉତ୍ସାହ ଯାଇଅଛି ନିଭି, ମୁଖେ ନାହିଁ ପଦେ କଥା ।

 

ନୀରବେ ନିଜରେ ଧିକ୍‍କାରେ;

ଭୀରୁ ମଳିନ ଅଶ୍ରୁ କଣା ଘୋଷେ ପରାଜୟ !

ବିଦୁଳା ନୟନେ ଅଗ୍ନି ହୋଇଲା ଜମା ।

 

ଗର୍ଜ୍ଜି କହିଲା, ‘‘କାନ୍ଦୁରେ ମୂଢ଼ ନାରୀ ସମ ନିରୁପାୟେ

ଶୌର୍ଯ୍ୟ ବୀର୍ଯ୍ୟ ନାହିଁ ଯହିଁ ସେହି ଦେହ ମୃତ୍ତିକା ପ୍ରାୟେ ।

 

ମୋହର ରକ୍ତ ମାଂସେ ଗଢ଼ା କି ଏଇ କାପୁରୁଷ ଦେହ ?

ଧିକ୍‍ ଧିକ୍‍ ମାଟି ପିଣ୍ଡୁଳା ପରେ ଢାଳି ଥିଲି ମୋର ସ୍ନେହ ।

 

ବିଦ୍ୟୁତେ ତୋର ମନ ଗଢ଼ିଥିଲି ବିପ୍ଳବ ଗୀତି ଗାଇ

ଧିକ୍‍ ଧିକ୍‍ ଦେଲୁ ଧୂମ ଭସ୍ମରେ ବଦନ ମୋହର ଛାଇ ।

 

ଅକ୍ଷତ ଦେହେ ପରାଜୟ ବୀର ହୀନତମ ପରିଚୟ

ଏକ ହାତେ ସେ ଯେ ଧରଇ ମୃତ୍ୟୁ ଆନ ହାତେ ଧରେ ଜୟ ।

 

ପୁତ୍ର ହୋଇ ଯା ଅପଯଶ ଫଣା ବକ୍ଷେ କଲୁ ମୋ ଘାତ

ବନ୍ଧ୍ୟା ହେଲେ ତ ନଥିଲାରେ ଏଇ ନିନ୍ଦାର ଉତ୍‍ପାତ ।

 

ଦୂର୍‍ ହୁଅ ଆଗୁଁ ଜନନୀ ଭାଗ୍ୟ ଭସାଇ ଦିଏ ମୁଁ ଲୁହେ

ସଞ୍ଜୟ ମୋର ସନ୍ତାନ ନୁହେଁ, ସନ୍ତାନ ନୁହେଁ, ନୁହେଁ ।’’

 

ଦାବାନଳ ସମ ଜଳିଉଠି ବୀର ମିଶିଲା ଅନ୍ଧକାରେ

ବିଦ୍ୟୁତ ସମ ଗଗନ ବିଦାରି ଉଦ୍ୟତ କରବାଳେ ।

***